ରେଳ ପ୍ରକଳ୍ପ ବିବାଦରେ ନୂଆ ମୋଡ଼

ଚିଠି ଲେଖିଲେ ରାଜ୍ୟ ସରକାର, ଆମ ପଟୁ କୌଣସି ସମସ୍ୟା ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ରେଳ ପ୍ରକଳ୍ପଗୁଡ଼ିକର ଆଖିଦୃଶିଆ ଅଗ୍ରଗତି ହୋଇପାରୁନାହିଁ। ବିଶେଷ କରି ପ୍ରମୁଖ ପ୍ରକଳ୍ପଗୁଡ଼ିକର ଗତିରୋଧକ ସାଜିଛି ଜମି ଅଧିଗ୍ରହଣ ସମସ୍ୟା। ଏଭଳି ଆଭିମୁଖ୍ୟ ରଖି ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ କଡ଼ା ଚିଠି ଦେଇଥିଲେ। ସେଥିରେ ଦର୍ଶାଇଥିଲେ, ରେଳ ବିଭାଗ ନିକଟରେ ଯେତେ ପରିମାଣର ଜମି ଉପଲବ୍ଧ, ସେତିକିରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ତେବେ ଏହାର ଘୋର ବିରୋଧ କରିଛନ୍ତିି ରାଜ୍ୟ ସରକାର। ଜମି ଜମାରୁ ସମସ୍ୟା ନୁହେଁ। ଏ ନେଇ ରେଳବାଇ ବୋର୍ଡ ସମୀକ୍ଷା କରୁ। ପୂର୍ବରୁ ଯେଉଁ ଚିଠି ଲେଖିଛନ୍ତି, ତାକୁ ବୋର୍ଡ ବାତିଲ କରୁ ବୋଲି ରାଜ୍ୟ ପକ୍ଷରୁ ପାଲଟା ଦାବି କରାଯାଇଛି।

ଆଜି ଏହି ମର୍ମରେ ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ କ୍ରମେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଇଞ୍ଜିନିୟରିଂ ରେଳବାଇ ବୋର୍ଡ ସଦସ୍ୟ ଏମ୍‌.କେ. ଗୁପ୍ତାଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ରେଳ ବିକାଶ ନିମନ୍ତେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ଅନୁକୂଳ ନୀତି ଏବଂ ପଦକ୍ଷେପ ସଂପର୍କରେ ସେ ବର୍ଣ୍ଣନା କରିଛନ୍ତିି। ରାଜ୍ୟରେ ସମସ୍ତ ରେଳ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସରକାରୀ ଜମି ବାବଦରେ ପଞ୍ଜୀକରଣ ଫି, ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି। ନିର୍ମାଣାଧୀନ ସମସ୍ତ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ସରକାରୀ ଜମି ଉପରୁ ପ୍ରିମିୟମ ଛାଡ଼, ରେଳବିହୀନ ଅଞ୍ଚଳଗୁଡ଼ିକୁ ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ସଂପୂର୍ଣ୍ଣ ମାଗଣା ଜମି କିମ୍ବା ରିହାତିରେ ଦରରେ ଜମି ଯୋଗାଣ, ଖୋର୍ଧା-ବଲାଙ୍ଗୀର ନୂଆ ରେଳପଥ, ଜୟପୁର-ନବରଙ୍ଗପୁର ନୂଆ ରେଳପଥ, ଜୟପୁର-ମାଲକାନଗିରି ନୂଆ ରେଳପଥ, ପୁରୀ-କୋର୍ଣାକ ନୂଆ ରେଳପଥ ପ୍ରଭୃତି ପ୍ରକଳ୍ପ ନିମନ୍ତେ ନିର୍ମାଣ ଖର୍ଚରେ ସହଭାଗିତା, ସ୍ୱତନ୍ତ୍ର ପର୍‌ପୋସ୍‌ ଭେଇକିଲ୍‌(ଏସ୍‌ପିଭି), ଯୁଗ୍ମ ଉଦ୍ୟୋଗ(ଜଏଣ୍ଟ ଭେଞ୍ଚର)ରେ ପୁଞ୍ଜିନିବେଶ, ରେଳଭିତ୍ତିକ ଶିଳ୍ପ ପାଇଁ ମାଗଣାରେ ଜମି ଯୋଗାଣ ବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ରେଳ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଜମି ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଦର୍ଶାଇ ଏ ନେଇ ଦସ୍ତାବିଜ୍‌ ଉପସ୍ଥାପନ କରିଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ। ବିଭିନ୍ନ ରେଳ ପ୍ରକଳ୍ପ ସମସ୍ୟା ସଂପର୍କରେ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ, ପରିବହନ, ଜଙ୍ଗଲ ବିଭାଗ ସଚିବ ଏବଂ ରେଳ ବିଭାଗର ପଦାଧିକାରୀମାନଙ୍କୁ ନେଇ ପ୍ରତି ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏପରି କି ପ୍ରଗତି ଏବଂ ପ୍ରଧାନମନ୍ତ୍ରୀଙ୍କ ଭିତ୍ତିଭୂମି କ୍ୟାବିନେଟ୍‌ କମିଟି ବୈଠକଗୁଡ଼ିକର ବିବରଣୀରୁ ଓଡ଼ିଶାରେ ରେଳ ବିକାଶ ସଂପର୍କରେ ଅଗ୍ରଗତି ସ୍ପଷ୍ଟ ଚିତ୍ର ମିଳିପାରିବ। ବିଶେଷ କରି ଆର୍‌ଭିଏନ୍‌ଏଲ୍‌ର ଅପାରଗତା ଯୋଗୁଁ ୨ଟି ବୃହତ୍‌ ରେଳ ପ୍ରକଳ୍ପ ବାଧାପ୍ରାପ୍ତ ହେଉଥିବା ନେଇ ରେଳ ବୋର୍ଡକୁ ଅବଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୨୦୧୭ ଡିସେମ୍ବର ୨୬ ତାରିଖରେ ବୋର୍ଡ ଦେଇଥିବା ଚିଠିକୁ ବାତିଲ କରିବାକୁ ଶ୍ରୀ ଶ୍ରୀନିବାସ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର