ତାଗିଦ୍‌ କଲେ ମୁଖ୍ୟ ସଚିବ : ବୃହତ୍‌ ପ୍ରକଳ୍ପଗୁଡ଼ିକର ସମୟ ଓ ଖର୍ଚ ଭାର କମାଅ

ତ୍ୱରାନ୍ଵିତ ହେବ ତାଳଚେର-ବିମଳାଗଡ଼ ରେଳ ଓ ଅନ୍ୟାନ୍ୟ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରି

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୃହତ୍‌ ପ୍ରକଳ୍ପର ବାଧକ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ପ୍ରକ୍ରିୟା ଇତ୍ୟାଦି। ଫଳରେ ପ୍ରାୟ ୬୬ଟି ବୃହତ୍‌ ପ୍ରକଳ୍ପ ଅଧାରେ ଅଟକି ଯାଇଛି। ଏଥିମଧ୍ୟରେ ରହିଛି ତାଳଚେର-ବିମଳାଗଡ଼ ନୂଆ ରେଳପଥ ପ୍ରକଳ୍ପ। ତେବେ ଆଜି ମୁଖ୍ୟ ଶାସନ ସଚିବ ସଚିବାଳୟରେ ଏସବୁ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତିି। ସମୀକ୍ଷା ପରେ ପ୍ରକଳ୍ପଗୁଡ଼ିକ ନିମନ୍ତେ ଆବଶ୍ୟକ ଜଙ୍ଗଲ ମଞ୍ଜୁରି ପ୍ରକ୍ରିୟା ତ୍ୱରାନ୍ଵିତ କରିବା ସହିତ ସେଗୁଡ଼ିକର ଅତିରିକ୍ତ ସମୟ ଓ ଖର୍ଚ ଭାର ହ୍ରାସ କରିବାକୁ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ ପ୍ରତ୍ୟେକ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରି ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ସଠିକ୍‌ ସମୟରେ ସାରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦେଇଥିଲେ। ପ୍ରତି ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ସଂପୂର୍ଣ୍ଣ ନିମନ୍ତେ ସମୟ ସୀମା ଧାର୍ଯ୍ୟ କରାଯାଇଛି। ତଦନୁଯାୟୀ ସେସବୁ କାର୍ଯ୍ୟ ସାରି ଓ୍ଵବ୍‌ ପୋର୍ଟାଲ୍‌ରେ ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଥିଲେ। ତାଙ୍କ ନିର୍ଦେଶ ମୁତାବକ କ୍ଷତିପୂରକ ବନୀକରଣ ପାଇଁ ଜମି ବ୍ୟାଙ୍କ ସୃଷ୍ଟି କରାଯିବ ବୋଲି ସ୍ଥିର ହୋଇଛି।

ସୂଚନାନୁସାରେ ରାଜ୍ୟରେ ବର୍ତମାନ କାର୍ଯ୍ୟକାରୀ ହେଉଥିବା ୬୬ଟି ବୃହତ୍‌ ପ୍ରକଳ୍ପକୁ ଜଙ୍ଗଲ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୩୩ଟି ଷ୍ଟେଜ୍‌-୧ ଜଙ୍ଗଲ ମଞ୍ଜୁରି ପାଇଥିବା ବେଳେ ଅବଶିଷ୍ଟ ୩୩ଟି ପ୍ରକଳ୍ପ ଷ୍ଟେଜ୍‌-୨ ଅନୁମୋଦନ ହାସଲ କରିଛନ୍ତି। ଇସ୍ପାତ ଓ ଖଣି ବିଭାଗ, ଶକ୍ତି, ପୂର୍ତ୍ତ, ଶିଳ୍ପ, ଜଳସଂପଦ, ପରିବହନ ଆଦି ବିଭାଗଗୁଡ଼ିକ ଅଧୀନରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟର ଜଙ୍ଗଲ ମଞ୍ଜୁରି ନିମନ୍ତେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ସାରି ଧାର୍ଯ୍ୟ ସମୟ ସୀମା ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟର ଜଙ୍ଗଲ ମଞ୍ଜୁରି ଅପେକ୍ଷାରେ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ତାଳଚେର-ବିମଳାଗଡ଼ ନୂଆ ରେଳପଥ, ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ, ବୀରମିତ୍ରପୁର-ବାରକୋଟ ଜାତୀୟ ରାଜପଥ, ବାଲେଶ୍ୱର-ବାରିପଦା-ଝାରପୋଖରିଆ ରାଜପଥ, ପାଲଲହଡ଼ା ବାଇପାସ୍‌, ବଲାଙ୍ଗୀର-ସୋନପୁର ରାଜପଥ, ସମ୍ବଲପୁର-ତାଳଚେର ରେଳପଥର ଦୋହରାକରଣ, ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରାକରଣ, ଖୋର୍ଧା-ବଲାଙ୍ଗୀର ରେଳପଥ, ଓଡ଼ିଶା ଖଣି ନିଗମ ଅଧୀନରେ ଥିବା କିଛି ଖଣି ପ୍ରକଳ୍ପ ଅନ୍ତର୍ଭୁକ୍ତ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଖଣି ବିଭାଗର ପ୍ରମୁଖ ସଚିବ ରାଜକୁମାର ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା, ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ଓଏମ୍‌ସି ଏମ୍‌ଡି ଆର.ଭିନିଲ୍‌ କ୍ରିଷ୍ଣା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର