ଆସିଲା ରେଳବାଇର ରଥଯାତ୍ରା ମୋବାଇଲ ଆପ୍

ଜୁଲାଇ ୪ରୁ ୧୪ ପର୍ଯ୍ୟନ୍ତ ମିଳିବ ସୂଚନା

ଭୁବନେଶ୍ବର: ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୋବାଇଲ ଆପ୍‌ ‘ECOR Yatra’ ସେବାର ପ୍ରଚଳନ କରାଯାଇଛି। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତମାନେଏହି ଆପ୍‌ ଜରିଆରେ ଉପକୃତ ହୋଇପାରିବେ। ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ସହ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ସ୍ମାର୍ଟ ଫୋନ୍‌ରେ ଗୁଗୁଲ ପ୍ଲେ’ ଷ୍ଟୋର୍‌ରୁ ଯାତ୍ରୀମାନେ ‘ECOR Yatra’କୁ ଡାଉନ୍‌ଲୋଡ୍‌ କରି ରେଳବାଇର ସମସ୍ତ ସୁବିଧା ବିଷୟରେ ଜାଣିପାରିବେ। ରଥଯାତ୍ରା ସମୟରେ ଚଳିତ ବର୍ଷ ୧୯୬ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏହି ଆପ୍‌ରେ ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଓ ଚଳାଚଳ ସମୟ ସମ୍ପର୍କରେ ସୂଚନା ରହିଛି। ଆପ୍‌ରେ ମଧ୍ୟ ପୂର୍ବତଟ ରେଳପଥରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଆଗମନ ଓ ପ୍ରସ୍ଥାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଆଇଆର୍‌ସିଟିସି ପକ୍ଷରୁ ଟୁରିଜିମ୍‌, ରିଟାଏରିଂ ରୁମ୍‌, ମେଳା ସେଡ୍‌ର ଉପଲବ୍ଧ ସମ୍ବନ୍ଧରେ ଲଜିଂ ବ୍ୟବସ୍ଥାର ସୂଚନା, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର୍‌ ସମ୍ବନ୍ଧରେ ସୂଚନା, ଆଇଆର୍‌ସିଟିସି ପକ୍ଷରୁ ପୁରୀଠାରେ ପରିବହନ ସୁବିଧା ସହ ପ୍ରି-ପେଡ୍‌ ଟ୍ୟାକ୍ସି ଓ ଭଡ଼ା ସମ୍ବନ୍ଧରେ ସୂଚନା ଆଦି ଉପଲବ୍ଧ ରହିଛି।

ଏହା ବ୍ୟତୀତ ରେଳ ବର୍ଥ (ସିଟ) ଉପଲବ୍ଧତା, ଭଡ଼ା ଅନୁସନ୍ଧାନ, ଏନ୍‌ଟିଇଏସ ଓ ପିଏନ୍‌ଆର୍‌ ଅନୁସନ୍ଧାନ ବ୍ୟବସ୍ଥା, ପିଇବା ପାଣି ସହ କ୍ୟାଟରିଂ ବ୍ୟବସ୍ଥା, ଇ-କ୍ୟାଟରିଂ, ଡାକ୍ତରୀ ସହାୟତା ଓ ପରିଚ୍ଛନ୍ନତା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ୍‌ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରି ଚାଳିତ ଯାନ, ଅଭିଯୋଗ, ଫଟୋ ଗ୍ୟାଲେରି ଓ ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ ସମ୍ବନ୍ଧରେ ମଧ୍ୟ ଏହି ଆପ୍ ସୂଚନା ଦେବ। ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ୍‌କୁ ଏହି ଆପ୍‌ ଦ୍ୱାରା ବୁକ୍‌ କରାଯାଇପାରିବ। ଅଟୋମେଟିକ୍‌ ଟିକେଟ୍‌ ଭେଣ୍ଡିଂ ମେସିନ୍‌(ଏଟିଭିଏମ) ଓ ମୋବାଇଲ୍‌ରେ ଅଣସଂରକ୍ଷିତ ଟିକେଟ୍‌ ପ୍ରଣାଳୀ(ୟୁଟିଏସ ଅନ୍‌ ମୋବାଇଲ) ଉପଯୋଗ ସମ୍ବନ୍ଧରେ ସୂଚନା ମିଳିବ। ଏହା ବ୍ୟତୀତ ଯାତ୍ରୀମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ଓ ଅନ୍ୟାନ୍ୟ ହେଲ୍ପ ଲାଇନ୍‌ ନମ୍ବରକୁ ଏହି ଆପ୍‌ ଜରିଆରେ ସିଧାସଳଖ ଡାଏଲ୍‌ କରିହେବ। ଜନସାଧାରଣଙ୍କ ପାଇଁ କୌଣସି ଜରୁରୀ ସୂଚନା ଯଥା ଲଗେଜ୍‌ ହଜିଯିବା, ଲୋକ ହଜିଯିବା ସୂଚନାକୁ ଏହି ହେଲ୍ପ ଲାଇନ୍‌ରେ ପ୍ରଦାନ କରାଯାଇପାରିବ। ଏଥିସହ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମଧ୍ୟ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର