ସମ୍ବଲପୁର-ଟିଟିଲାଗଡ଼ ମଧ୍ୟରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅଧୀନ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନରେ ଲୋଇସିଙ୍ଗା-ବଲାଙ୍ଗୀର ଏବଂ ଟିଟିଲାଗଡ଼-ସିକିର ରେଳ ଷ୍ଟେସନ୍‌ଗୁଡ଼ିକରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ଏବଂ ଡୁଙ୍ଗୁରିପାଲି ଓ ବରପାଲି ରେଳ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟର ପାଇଁ ଚଳିତ ମାସ ୭ରୁ ୧୫ ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହେବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ କିଛି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ କିଛି ଆଂଶିକ ବାତିଲ କରାଯାଇଛି।

ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ୭ ତାରିଖ (ସୋମବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍‌ କରାଯାଇଛି। ପୁରୀରୁ ଛାଡ଼ିବାକୁ ଥିବା ତପସ୍ୱିନୀ ଏକ୍ସପ୍ରେସ୍‌ରେ ୬ ତାରିଖ (ରବିବାର)ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର-ଟିଟିଲାଗଡ଼ ପଥ ଦେଇ ପୁରୀ ଏବଂ ରାୟଗଡ଼ା ମଧ୍ୟରେ ସ୍ଲିପ୍‌ କୋଚ୍‌ ସେବା (କୋଚ୍‌ ଏସ୍‌-୧୦)କୁ ସମ୍ବଲପୁର ଏବଂ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ୍‌ କରାଯିବା ନେଇ ପୂର୍ବତଟ ରେଳ ସୂଚନା ଦେଇଛି। ସେହିପରି ସମ୍ବଲପୁର-ଜୁନାଗଡ଼ ରୋଡ୍‌ ପାସେଞ୍ଜରକୁ ଚଳିତ ମାସ ୭ରୁ ୯ ତାରିଖ (ବୁଧବାର) ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍‌ କରାଯାଇଛି। ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ରୁ ଛାଡ଼ିବାକୁ ଥିବା ଏବଂ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ରାୟପୁରରୁ ଛାଡ଼ିବାକୁ ଥିବା ଟିଟିଲାଗଡ଼-ରାୟପୁର ପାସେଞ୍ଜରକୁ ସମ୍ପୂର୍ଣ୍ଣ ବାତିଲ୍‌ କରାଯାଇଥିବା ସୂଚନା ମିଳିଛି।

ଆଂଶିକ ବାତିଲ୍‌ ହେଉଥିବା ଟ୍ରେନ୍‌ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ୭ରୁ ୧୧ ତାରିଖ ବଲାଙ୍ଗୀର ପରିବର୍ତେ ସମ୍ବଲପୁରଠାରୁ ଯାତ୍ରା କରିବ। ଏହି ସମୟ ମଧ୍ୟରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ସେବାକୁ ସମ୍ବଲପୁର ଏବଂ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ୍‌ କରାଯିବ। ଝାରସୁଗୁଡ଼ା ଏବଂ ସମ୍ବଲପୁର ଦେଇ ବିଳାସପୁରରୁ ଛାଡ଼ୁଥିବା ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ ଓ ଏହି ସମୟ ମଧ୍ୟରେ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ଟିଟିଲାଗଡ଼ ପରିବର୍ତେ ସମ୍ବଲପୁରଠାରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ର ସେବାକୁ ଏହି ଦିନଗୁଡ଼ିକରେ ସମ୍ବଲପୁର ଏବଂ ଟିଟିଲାଗଡ଼ ମଧ୍ୟରେ ଉଭୟ ଦିଗରୁ ବାତିଲ୍‌ କରାଯିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର