ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ। ଏହି ଅବସରେ ସେ ଷ୍ଟେସନ ସିଗନାଲ ରୁମ୍ ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଛନ୍ତି। ସେ ସ୍ଥାନୀୟ ଷ୍ଟେସନ୍ ମାଷ୍ଟର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏହାପରେ ରେଲୱେ ସେଫ୍ଟି କମିଶନର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ଚାଲିଛି,ଏଥିପାଇଁ ସମୟ ଲାଗିବ, ତଦନ୍ତ ପରେ ସ୍ପଷ୍ଟ କାରଣ ଜଣାପଡ଼ିବ। ଏହାପରେ ସବିଶେଷ ତଥ୍ୟ ଦିଆଯାଇପାରିବ।
ସୂଚନାଯୋଗ୍ୟ, ବାହାନଗା ରେଳଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।
ଏଣେ କେଉଁ ପରିସ୍ଥିତିରେ ବାଲେଶ୍ବର ବାହାନାଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା, କେଉଁମାନେ ଦାୟୀ; ତାହାର ତନ୍ନତନ୍ନ କରି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)। ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିଛି ଭାରତୀୟ ରେଳବାଇ ବୋର୍ଡ। ଆଜି ଭୁବନେଶ୍ୱର ରେଳ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହାସହ ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବୁଧବାର ସକାଳ ସୁଦ୍ଧା ନଷ୍ଟ ହୋଇଥିବା ରେଲ ଲାଇନ୍ ମରାମତି କାମ ଶେଷ ହେବ। ଭୁବନେଶ୍ୱର ଏମ୍ସ, ସୋର, କଟକ ବଡ଼ ମେଡିକାଲ, ଭଦ୍ରକ ଡାକ୍ତରଖାନାରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ରାଜ୍ୟ ସରକାରମାନଙ୍କ ସହ ମିଶି ଆହତ ଓ ମୃତକଙ୍କ ପରିବାର ସହ ଯୋଗଯୋଗ କରିବାକୁ ପ୍ରୟାସ କରାଯାଉଛି।
ସେ କହିଛନ୍ତି ଯେ ଟ୍ରେନ୍ କେଉଁ ଟ୍ରାକ୍ରେ ଯିବ, ତାହା ନିର୍ଧାରଣ କରୁଥିବା ଇଂଟରଲକିଂ ସିଷ୍ଟମ୍ରେ ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟିଛି। ଏଥିପାଇଁ କିଏ ଦାୟୀ ତାହା ଜଣାପଡ଼ିଛି ଏବଂ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ରେଲୱେ ସେଫ୍ଟି କମିସନର ଖୁବ୍ଶୀଘ୍ର ତଦନ୍ତ ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/b-h.jpg)