ରେଳବାଇ ଆବାସିକ ପ୍ରକଳ୍ପ ପାଇଁ ଜମି ବାଧକ

ରାଜ୍ୟ ସରକାର ଜମି ଦେଉନାହାନ୍ତି: ରେଳପଥ କଲ୍ୟାଣ ସଙ୍ଗଠନ

ଭୁବନେଶ୍ବର: ରେଳବାଇ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ବାସଗୃହ ପ୍ରକଳ୍ପ ପାଇଁ ୪ ବର୍ଷ ହେଲା ଉଦ୍ୟମ ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନି। ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୦ ଏକର ଜମି ଯୋଗାଇ ଦେବା ପାଇଁ ଭାରତୀୟ ରେଳପଥ କଲ୍ୟାଣ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ େହଁ, ସେଥିରେ ଚୂଡ଼ାନ୍ତ ମୋହର ଲାଗିପାରିନି। ବର୍ଷକ ତଳେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବହୁତଳ ଗୃହ ପ୍ରକଳ୍ପ ପାଇଁ ୧୦ ଏକର ଜମି ଯୋଗାଇ ଦେବାକୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିସ କରାଯାଇଥିଲା। ଚିଠି ପାଇବା ପରେ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତିନୋଟି ଜମି ଚିହ୍ନଟ ଶେଷ ହୋଇଥିଲେ ମଧ୍ୟ ତାହା ଆଗେଇପାରୁ ନଥିବା ଅଭିଯୋଗ ହୋଇଛି। ଭାରତୀୟ ରେଳପଥ କଲ୍ୟାଣ ସଙ୍ଗଠନର କାର୍ଯ୍ୟକାରୀ କମିଟି ସଦସ୍ୟ ପୀତବାସ ନାୟକ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଫାଇଲ୍‌ ଅଟକି ରହିଛି। ମୁଖ୍ୟ ଶାସନ ସଚିବ ପ୍ରତିଥର ନେଉଥିବା ବୈଠକ ଏଜେଣ୍ତାରେ ପ୍ରକଳ୍ପ ସ୍ଥାନ ପାଉଛି। ହେଲେ ଆଲୋଚନା ହେଉନି। ଆର ଥରକୁ ହେବ କହି ଦିନ ଗଡ଼ାଇ ଚାଲିଛନ୍ତି। ଗତ ୫ ଥର ବୈଠକରେ ଏଭଳି ସ୍ଥିତି ଉପୁଜିଛି। ଗତ ୨ ତାରିଖରେ ବସିଥିବା ବୈଠକ ଏଜେଣ୍ତାରେ ଉଲ୍ଲେଖ ରହିଥିଲେ ମଧ୍ୟ ଆଲୋଚନା ହୋଇପାରି ନାହିଁ। ଗତ ବର୍ଷକ ମଧ୍ୟରେ ରେଳ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀମାନେ ସାଧାରଣ ପ୍ରଶାସନ ବିଭାଗକୁ ନିବେଦନ କରି ଆସୁଥିଲେ ମଧ୍ୟ କୌଣସି ଫଳ ମିଳିନି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ କାଗଜପତ୍ର ମଗାଯାଇଥିଲା ତାହା ମଧ୍ୟ ଦାଖଲ କରାଯାଇଛି। ତଥାପି ଏହି ପ୍ରକଳ୍ପର ଭାଗ୍ୟ ଫିଟୁନାହିଁ। ଇତି ମଧ୍ୟରେ ପଡେ଼ାଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରି ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେଇଛନ୍ତି। ବହୁ ସହରରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ କେତେକ ସ୍ଥାନରେ ପ୍ରକଳ୍ପ ଶେଷ ହୋଇଯାଇଛି। କିନ୍ତୁ ପୂର୍ବତଟ ରେଳପଥର ମୁଖ୍ୟାଳୟ ଥିବା ଭୁବନେଶ୍ବରରେ ଏହି ପ୍ରକଳ୍ପ ଆଗେଇପାରିନି। ଯେତେବେଳେ କି ରେଳ କଲ୍ୟାଣ ସଙ୍ଗଠନ ପକ୍ଷରୁ ୧୦ ଏକର ଜମିର ଉପଯୁକ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ରହିଛୁ। ପ୍ରକଳ୍ପ ପାଇଁ ଜମି ବିଳମ୍ବ ହେଉଥିବାରୁ ଭୁବନେଶ୍ବର ରେଳ କର୍ମଚାରୀଙ୍କ ଭିତରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜମି ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଆରଆରଡବ୍ଲୁଓର ସଦସ୍ୟ ସୁକୁମାର ଚନ୍ଦ୍ର ବଲ୍‌ଙ୍କ କହିବାନୁଯାୟୀ ଭୁବନେଶ୍ବରରେ ଏହି ପ୍ରକଳ୍ପ କରାଯିବା ଦ୍ବାରା ୫ରୁ ୬ ହଜାର ରେଳ ପରିବାର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ପଦକ୍ଷେପ ନେଇ ମାସକ ମଧ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜମି ଯୋଗାଇ ଦେଲେ ରେଳ କଲ୍ୟାଣ ସଙ୍ଗଠନ ପକ୍ଷରୁ ବହୁତଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର