ଭୁବନେଶ୍ବର : ରେଳବାଇ ଚାକିରି ସ୍କାମ୍ରେ ଅନ୍ୟତମ ଫେରାର୍ ଅଭିଯୁକ୍ତ ବବ୍ଲୁ ଯାଦବକୁ ସିବିଆଇ ଗିରଫ କରିଛି। ବିହାର ସହରସା ନୈନପୁରର ବବ୍ଲୁ ୨୦୦୯ ମସିହାରୁ ଫେରାର୍ ଥିଲା। ତେବେ ସେ ବାଲେଶ୍ବରରେ ଥିବା ଜାଣିବା ପରେ ସିବିଆଇ ସଦଳବଳେ ଚଢ଼ଉ କରିଥିଲା। ଆଜି ତାକୁ ଭୁବନେଶ୍ବର ସ୍ବତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍ ସିବିଆଇଙ୍କ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରେଳବାଇର କିଛି ବଡ଼ ବଡ଼ିଆଙ୍କୁ ହାତ କରି କେତେକ ଏକ ରୢାକେଟ୍ ତିଆରି କରିଥିଲେ। ରେଳବାଇରେ ଚାକିରି କରାଇଦେବା ପାଇଁ ବିଭିନ୍ନ ଆଶାୟୀଙ୍କଠାରୁ ଏହି ରୢାକେଟ୍ ୯୫ଲକ୍ଷ ଟଙ୍କା ଠକି ନେଇଥିଲା। ଏପରିକି କେତେକ ପରୀକ୍ଷାର୍ଥୀଙ୍କୁ ନକଲି ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଠକାମିର ଶିକାର ହୋଇଥିବା ଅଧିକାଂଶ ପରୀକ୍ଷାର୍ଥୀ ଓଡ଼ିଶାର ହୋଇଥିବାରୁ ଏଠାରେ ଅଭିଯୋଗ ହୋଇଥିଲା। ମାମଲାର ଗମ୍ଭୀରତାକୁ ଦେଖି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ରୢାକେଟ୍ର ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗ କାଲଚିନି ଷ୍ଟେସନ୍ ମ୍ୟାନେଜର୍ ଫୁଲ୍ଡୋ ଓରାମ୍ଙ୍କ ସହ ଓଡ଼ିଶାର ଚନ୍ଦନ ରାଉଳ ଓ ସମୀର୍ କୁମାରଙ୍କୁ ପୂର୍ବରୁ ସିବିଆଇ ଗିରଫ କରିଥିଲା। ୨୦୧୦ ଓ ୨୦୧୧ରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବବ୍ଲୁ ୨୦୦୯ ମସିହାରୁ ଫେରାର୍ ଥିଲା।