ପୁରୀରୁ କୋଣାର୍କ ଗଡ଼ିବ ରେଳ! ଦାଖଲ ହେଲା ଚୂଡ଼ାନ୍ତ ସର୍ଭେ ରିପୋର୍ଟ

ପୁରୀ : ପୁରୀରୁ କୋଣାର୍କକୁ ରେଳପଥ ସଂଯୋଗ ବାଟ ଫିଟିଛି। ଅଗଷ୍ଟରେ ପୂର୍ବତଟ ରେଳପଥ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ରେଲ୍‌ୱେ ବୋର୍ଡକୁ ପ୍ରଦାନ କରିଛନ୍ତି। ପୂର୍ବରୁ ସିଆର୍‌ଜେଡ୍‌କୁ ନେଇ ସମସ୍ୟା ଦେଖା ଦେଇଥିଲା। ବନ ବିଭାଗ ଏ ନେଇ ଆପତ୍ତି ଉଠାଇଥିଲା। ଏବେ ନୂଆ ଓ ବିକଳ୍ପ ରାସ୍ତା ଖୋଜାଯାଇଛି, ଯାହା ସିଆର୍‌ଜେଡ୍‌ରେ ଆସୁନି। ଏହି ଚୂଡ଼ାନ୍ତ ରିପୋର୍ଟ ରେଲ୍‌ୱେ ବୋର୍ଡକୁ ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି। ଫଳରେ ଦୁଇଦଶନ୍ଧି ଧରି ପୁରୀ-କୋଣାର୍କ ରେଳପଥ ସଂଯୋଗ ନେଇ ରାଜ୍ୟବାସୀ ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ସାକାର ହେବାକୁ ଯାଉଛି। ଏହାଦ୍ବାରା କେବଳ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବନି, ଏଠାର ଆର୍ଥିକ ସ୍ଥିତି ବି ଆହୁରି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିକଟରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜନଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁରୀ-କୋଣାର୍କ ରେଳପଥ ପ୍ରସଙ୍ଗ ଉଠିଥିଲା। ସେ ସମୟରେ ପୁରୀ-କୋଣାର୍କ ରେଳପଥ ସର୍ଭେ କାମ ଚାଲିଛି ବୋଲି କହିଥିଲେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ। ଏହି ରେଳପଥ ଉପରେ ପୁରୀ ବିକାଶ ପରିଷଦକୁ ଲେଖିଥିବା ଚିଠିରେ ରେଳବାଇ ବୋର୍ଡକୁ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ପ୍ରଦାନକରିଥିବା ପୂର୍ବତଟ ରେଳପଥ ଉପମୁଖ୍ୟ ଇଂଜିନିୟର ଜି. କେ. ରାଓ କହିଛନ୍ତି। ଇଂ. ରାଓ ଚିଠିରେ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଭାୟା ରାମଚଣ୍ଡୀ ଦେଇ ଯିବାକୁ ଯୋଜନା ହୋଇଛି। ପୂର୍ବରୁ ଏହାର ପ୍ରାଥମିକ ଇଂଜିନିୟରିଂ ତଥା ଟ୍ରାଫିକ୍‌(ପିଇଟି) ସର୍ଭେ କରାଯାଇଥିଲା। ଏହାର ବିସ୍ତୃତ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା। ପରେ ଏହି ରିପୋର୍ଟରେ ସାମାନ୍ୟ ପରିବର୍ତ୍ତନ କରି ୨୦୧୭ ମସିହାରେ ରେଲ୍‌ୱେ ବୋର୍ଡକୁ ପ୍ରଦାନ କରାଯାଇଥିଲା। କିନ୍ତୁ ସେ ସମୟରେ ବନ ବିଭାଗ ରିପୋର୍ଟକୁ ନେଇ ଆପତ୍ତି ଉଠାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ସମ୍ବେଦନଶୀଳ(ଇକୋ ସେନ୍‌ସିଟିଭ୍‌ ଜୋନ୍‌) ଅଞ୍ଚଳ ସହ ସିଆର୍‌ଜେଡ୍‌ ନିୟମକୁ ଉଲ୍ଲଂଘନ କରୁଥିବା ଚିଠି ଲେଖି ଜଣାଇଥିଲା। ପରେ ପୁନର୍ବାର ଏହାର ସର୍ଭେ କରାଯାଇଥିଲା ଓ ଆଉ ଏକ ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଯେଉଁ ସର୍ଭେ ରିପୋର୍ଟରେ ବନ ବିଭାଗ ଆପତ୍ତି ଉଠାଇଥିବା ସମ୍ବେଦନଶୀଳ ଅଞ୍ଚଳକୁ ବାଦ୍‌ ଦିଆଯାଇଛି।

ବିକଳ୍ପ ରାସ୍ତା ଖୋଜାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି ଓ ଏହା ଗତ ଅଗଷ୍ଟ ୨୧ ତାରିଖରେ ରେଲ୍‌ୱେ ବୋର୍ଡକୁ ପ୍ରଦାନ(ଚିଠି ସଂଖ୍ୟା-୨୦୨୦/ଡବ୍ଲୁ-୨/ଇଷ୍ଟକୋଷ୍ଟ ରେଲ୍‌ୱେ/୦୩/୩୮/୨୩/୬/୨୦୨୧) କରାଯାଇଛି ବୋଲି ଇଂ. ରାଓ କହିଛନ୍ତି। ଏ ସମ୍ପର୍କରେ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଉପରେ ତାଙ୍କ ସଂଗଠନ ଗତ ୧୯ ତାରିଖରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତ କାଳରେ ଏକ ଦାବିପତ୍ର ଦେଇଥିଲା। ଏହା ପୂର୍ବରୁ ଗତ ଜାନୁଆରି ୨୮ରେ ସଂଗଠନ ପକ୍ଷରୁ ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ବି ଦାବିପତ୍ର ଦିଆଯାଇଥିଲା। ତତ୍କାଳୀନ ରେଳମନ୍ତ୍ରୀ ଶ୍ରୀ ଗୋଏଲ୍ ଏ ବିଷୟରେ ରେଲ୍‌ୱେ ବୋର୍ଡ ଓ ପୂର୍ବତଟ ରେଳପଥଠାରୁ ରିପୋର୍ଟ ମାଗିଥିଲେ। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଏବଂ ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାରୁ ପୁରୀ-କୋଣାର୍କ ରେଳପଥ ସଂଯୋଗର ଆବଶ୍ୟକତା ରହିଥିବା ଶ୍ରୀ ବସ୍ତିଆ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପୁରୀରୁ କୋଣାର୍କ ମଧ୍ୟରେ ୩୫ କିମି ରେଳପଥ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ୫୦% ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ୪ ବର୍ଷ ତଳେ ଘୋଷଣା କରିଥିଲେ। ପୁରୀ-କୋଣାର୍କ ରେଳପଥ ନିର୍ମାଣ କରାଗଲେ ପର୍ଯଟନର ବିକାଶ ତ୍ୱରାନ୍ୱିତ ହୋଇପାରିବ। ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକମାନେ ଉପକୃତ ହେବେ।

ସମ୍ବନ୍ଧିତ ଖବର