ରାଉରକେଲା: ସକାଳ ପ୍ରାୟ ୬ଟା ୧୦ ମିନିଟ୍। ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍ ଗୋଟିଏ ଲାଇନ୍ରୁ ଅନ୍ୟ ଲାଇନ୍କୁ ସଣ୍ଟିଂ(ପଛକୁ) କରାଯାଉଥିଲା। ହେଲେ ମାଲ୍ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍ ବ୍ରେକ୍ ଲଗାଇବା ପୂର୍ବରୁ ୪ଟି ବଗି (କଣ୍ଟେନର୍) ରାସ୍ତା ଅତିକ୍ରମ କରି ବସ୍ତିସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା। ଚା’ ଦୋକାନୀଙ୍କ ଯୋଗୁ ବଡ଼ଧରଣ ଦୁର୍ଘଟଣା ଟଳିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବସ୍ତିବାସିନ୍ଦା। ହେଲେ ଟ୍ରେନ୍ ଧକ୍କାରେ ଚୂର୍ମାର୍ ହୋଇଯାଇଥିଲା ଅଟୋ, ଦୁଇଟି ବାଇକ୍, ୧୦ରୁ ଅଧିକ ଉଠା ଦୋକାନ। ଆଉ ମାତ୍ର ୮ ଫୁଟ୍ ମାଡ଼ି ଯାଇଥିଲେ, ବସ୍ତିରେ ଶୋଇଥିବା ଅନେକଙ୍କ ଜୀବନ ଚାଲିଯାଇଥାନ୍ତା।
ଆଜି ଏମିତି ଅଘଟଣ ଘଟିଥିଲା ରାଉରକେଲା ମାଲ୍ଗୋଦାମ ଏଫ୍ସିଆଇ ବସ୍ତି ନିକଟସ୍ଥ ରେଳସାଇଡିଂରେ। ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି। ତିନି ଅଧିକାରୀଙ୍କୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ଷ୍ଟେସନ୍ ମ୍ୟାନେଜର ପି.କେ. ଦାସଙ୍କୁ ସାର୍ଡେଗାକୁ ବଦଳି କରାଯାଇଛି। ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ରେଳସାଇଡିଂକୁ ମାଲ୍ଗୋଦାମରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ହେଲେ ମାଲ୍ଗୋଦାମ ରେଳସାଇଡିଂରେ ଏହି ପ୍ରଥମ ଦୁର୍ଘଟଣା ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। କ୍ଷତିଗ୍ରସ୍ତ ଅଟୋ, ବାଇକ୍ ଓ ଉଠା ଦୋକାନ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।
ବର୍ତ୍ତିଲେ ବସ୍ତିବାସିନ୍ଦା ଓ ଦୋକାନୀ
ଅଟୋ, ବାଇକ୍, ଉଠା ଦୋକାନ ଚୂରମାର୍
୩ ଅଧିକାରୀ କରିବେ ଯାଞ୍ଚ
ବଦଳିଲେ ଷ୍ଟେସନ୍ ମ୍ୟାନେଜର୍
ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଜିଏମ୍
ରାଉରକେଲା ବାସନ୍ତୀକଲୋନି ମାଲଗୋଦାମ ନିକଟରେ ରେଳସାଇଡିଂ ରହିଛି। ପ୍ରତିଦିନ ଏଠାରୁଏକାଧିକ ମାଲଗାଡ଼ିରେ ସିମେଣ୍ଟ, ଇନ୍ଗଡ୍ ଲୋଡିଂ ହୋଇ ରାଜ୍ୟ ଓ ରାଜ୍ୟବାହାକୁ ପଠାଯାଏ। ଆଜି ସକାଳ ପ୍ରାୟ ୬ଟା ୧୦ ମିନିଟ୍ରେ ଏକ ମାଲଗାଡ଼ି ସିମେଣ୍ଟ ବୋଝେଇ କରିବାକୁ ରେଳସାଇଡିଂ ଭିତରକୁ ପଶିଥିଲା। ରେଳବାଇ ସଣ୍ଟର ଏସ୍.କେ. ପୃଷ୍ଟି ମାଲଗାଡ଼ିକୁ ସଣ୍ଟିଂ କରୁଥିଲେ। ପି.ଜି.ଏମ୍. ଉମାପତି ୱାକିଟକି ଜରିଆରେ ସଣ୍ଟିଂ କରିବାରେ ଲୋକୋପାଇଲଟ୍ ଏସ୍.କେ. ପୃଷ୍ଟିକୁ ସହାୟତା କରୁଥିଲେ। ସଣ୍ଟିଂ ବେଳେ କୁଆଡେ ୱାକିଟକି କାମ କରି ନଥିଲା। ଲୋକୋପାଇଲଟ୍ ବଗିଗୁଡ଼ିକ ରେଳଲାଇନ୍ରେ ଶେଷସ୍ଥାନରେ ପହଞ୍ଚିଛି କି ନାହିଁ ଜାଣିପାରି ନଥିଲେ।
ଫଳରେ ମାଲଗାଡ଼ି ରେଳସାଇଡିଂର ପାଚେରି ଭାଙ୍ଗି ଏଫ୍ସିଆଇ ବସ୍ତିଆଡ଼କୁ ମାଡ଼ିଯାଇଥିଲା। ମାଲଗାଡ଼ି ବସ୍ତିଆଡକୁ ମାଡ଼ିଆସୁଥିବା ଦେଖି ସେଠାରେ ଚା’ ତିଆରି କରୁଥିବା ଦୋକାନୀ ପାଟି କରିଥିଲେ। ତାଙ୍କ ପାଟିଶୁଣି ଘରେ ଶୋଇଥିବା ବସ୍ତିବାସିନ୍ଦା ବାହାରକୁ ଚାଲିଆସିଥିଲେ। ବସ୍ତିବାସିନ୍ଦା ଓ ଚା’ ଦୋକାନୀଙ୍କ ପାଟିଶୁଣି ଲୋକୋପାଇଲଟ୍ ହଠାତ୍ ବ୍ରେକ୍ ଲଗାଇବା ପୂର୍ବରୁ ମାଲଗାଡ଼ି ଠେଲା, ଅଟୋ ଓ ବାଇକ୍ଗୁଡ଼ିକ ଉପରେ ଚଢ଼ି ବସ୍ତି ସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶି ଅଟକି ଯାଇଥିଲା। ଚାରିଟି ବଗି ରାସ୍ତା ଉପରେ ରହିଥିବାରୁ ମାଲଗୋଦାମ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଖବର ପାଇ ରେଳବାଇ ଟେକ୍ନିକାଲ ଟିମ୍, ବରିଷ୍ଠ ଅଧିକାରୀ ଦୁଇଘଣ୍ଟା ପରେ ଅର୍ଥାତ୍ ସକାଳ ୮ଟାରେ ପହଞ୍ଚିଥିଲେ। ରାସ୍ତା ଓ ଦୋକାନ ଭିତରେ ପଶିଥିବା ବଗିକୁ କ୍ରେନ୍ ଓ ଇଞ୍ଜିନ୍ ସହାୟତାରେ ହଟାଇବା କାମ ଆରମ୍ଭ କରିଥିଲେ। ୩ ଘଣ୍ଟା ପରେ ଅର୍ଥାତ୍ ଦିନ ୧୧ଟାରେ ୪ଟି ବଗିକୁ ରାସ୍ତାରୁ ହଟାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।