ଜଳେଶ୍ୱର: ବଜ୍ରପାତ ଯୋଗୁଁ ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ରେଳଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ ପୋଡ଼ିଯାଇଛି। ଫଳରେ ଦକ୍ଷିଣପୂର୍ବ ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୩ଟା ବେଳେ ଜଳେଶ୍ବର ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବଜ୍ରପାତ ଯୋଗୁଁ ଲକ୍ଷ୍ମଣନାଥ ରେଳଷ୍ଟେସନ୍‌ରେ ଥିବା ପ୍ୟାନେଲ୍‌ ବୋର୍ଡ ସଟ୍‌ସର୍କିଟ୍‌ ହୋଇ ପୋଡ଼ି ଯାଇଥିଲା। ସିଗ୍‌ନାଲ୍‌ ସିଷ୍ଟମ୍‌ ଅଚଳ ହୋଇଯିବାରୁ ଷ୍ଟେସନ୍‌ କର୍ତ୍ତୃପକ୍ଷ ଖଡ଼ଗପୁର ଡିଭିଜନ୍‌ ଅଫିସ୍‌କୁ ଜଣାଇଥିଲେ। ସେହିପରି ପଶ୍ଚିମବଙ୍ଗର ଦାନ୍ତୁନ ଷ୍ଟେସନ୍‌ ପକ୍ଷରୁ ଘଟଣା ନେଇ ଓଡ଼ିଶାର ଜଳେଶ୍ୱର ଓ ଅମର୍ଦ୍ଦା ଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଉପରୋକ୍ତ ୩ ଷ୍ଟେସନ୍‌ ମଧ୍ୟରେ ମୋବାଇଲ୍‌ ଯୋଗେ ସଂପର୍କ ସ୍ଥାପନ ସହ ଟ୍ରେନ୍‌ ଚଳାଚଳ ଉପରେ ନଜର ରଖାଯାଇଥିଲା। ଅନ୍ୟପଟେ ସିଗ୍‌ନାଲ୍‌ ନଥିବାରୁ ଲକ୍ଷ୍ମଣନାଥ ଷ୍ଟେସନ୍‌ ନିକଟ ରେଳଫାଟକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଯାହାଦ୍ବାରା ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟା ଭୋଗିଥିଲେ।

Advertisment

ତେବେ ସନ୍ଧ୍ୟା ୬ଟା ବେଳେ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଖଡ଼ଗପୁର ଡିଭିଜନ୍‌ରୁ ୩ ଜଣିଆ ବୈଷୟିକ ଟିମ୍‌ ଲକ୍ଷ୍ମଣନାଥ ଷ୍ଟେସନ୍‌ ଆସି ମାନୁଆଲ୍‌ ପ୍ୟାନେଲ୍‌ ବୋର୍ଡ ବଦଳାଇଛନ୍ତି। ଫଳରେ ସିଗ୍‌ନାଲ୍‌ ସିଷ୍ଟମ୍‌ କାମ କରିଛି। ହେଲେ ଡିଜିଟାଲ୍‌ ପ୍ୟାନେଲ୍‌ ବୋର୍ଡ କାମ କରୁ ନଥିବାରୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନଥିବା ଜଣାପଡ଼ିଛି। ସଜାଡ଼ିବା ପାଇଁ ଆଉ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଆସୁଥିବା ସୂଚନା ମିଳିଛି। ଏନେଇ ଲକ୍ଷ୍ମଣନାଥ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।