ରେଳ ଷ୍ଟେସନ ସୁରକ୍ଷା ବଢ଼ିବ

ଦେଶର ୭୫୬ ଷ୍ଟେସନରେ ଲାଗିବ ଭିଏସ୍‌ଏସ୍‌, ଏଜେନ୍ସି ଚୂଡ଼ାନ୍ତ, ପୂର୍ବତଟ ରେଳପଥରେ ୧୫ ଷ୍ଟେସନ

ଭୁବନେଶ୍ବର : ରେଳ ଷ୍ଟେସନ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ମଧ୍ୟରେ ୧୫ଟି ଷ୍ଟେସନ୍‌ ସମେତ ଦେଶର ୭୫୬ ଷ୍ଟେସନ୍‌ରେ ନିର୍ଭୟା ପାଣ୍ଠି ଅଧୀନରେ ଭିଡିଓ ସର୍ଭେଲାନ୍ସ ସିଷ୍ଟମ(ଭିଏସଏସ) ତଥା ସିସିଟିଭି କ୍ୟାମେରା ନେଟୱାର୍କ କାର୍ଯ୍ୟକାରୀ କରାଯିବ। ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏ-୧, ଏ, ବି, ସି ମାନ୍ୟତା ଥିବା ୭୫୬ ଷ୍ଟେସନ୍‌କୁ ଅନ୍ତର୍ଭୁକ୍ତ କରାଯାଇ ୨୦୨୩ ଜାନୁଆରି ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ପୂର୍ବତଟ ରେଳପଥ ମଧ୍ୟରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ଯାଜପୁର କେନ୍ଦୁଝର ରୋଡ୍‌, ଖୋର୍ଦ୍ଧା ରୋଡ୍‌, ବଲାଙ୍ଗୀର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ପଲାସା, ଜଗଦଲପୁର, ଶ୍ରୀକାକୁଲମ୍ ରୋଡ୍‌ ଓ ବିଜୟନଗରମ୍‌ ଷ୍ଟେସନ୍‌ରେ ଭିଏସ୍‌ଏସ୍‌ କାର୍ଯ୍ୟକାରୀ ହେବ। ଅବଶିଷ୍ଟ ଷ୍ଟେସନ୍‌ଗୁଡ଼ିକରେ ଏହି ପ୍ରଣାଳୀର କାର୍ଯ୍ୟକାରୀ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯିବ। ରେଳ ଷ୍ଟେସନ୍‌ ସୁରକ୍ଷା ବୃଦ୍ଧି କରାଇବା ପାଇଁ ଭାରତୀୟ ରେଳ ଷ୍ଟେସନରେ ଇଣ୍ଟରନେଟ୍ ପ୍ରୋଟୋକଲ୍(ଆଇପି) ଆଧାରିତ ଭିଏସ୍ଏସ୍ ସ୍ଥାପନ ପ୍ରକ୍ରିୟାରେ ରହିଛି। ଯାହାକି ପ୍ରତୀକ୍ଷାଳୟ (ୱେଟିଂ ହଲ୍), ସଂରକ୍ଷଣ କାଉଣ୍ଟର୍‌, ପାର୍କିଂ କ୍ଷେତ୍ର, ମୁଖ୍ୟ ପ୍ରବେଶ/ପ୍ରସ୍ଥାନ, ପ୍ଲାଟ୍‌ଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ବୁକିଂ ଅଫିସ୍ ଆଦି ସ୍ଥାନଗୁଡ଼ିକରେ ଭିଏସ୍‌ଏସ୍‌ ଯୋଗାଇବା ପାଇଁ କାର୍ଯ୍ୟ ଅନୁମୋଦନ ହୋଇଛି।

ଏହି ଭିଡିଓ ସର୍ଭେଲାନ୍ସ ପ୍ରଣାଳୀ ଆଇପି ଆଧାରିତ ହେବ। ଏଥିରେ ସିସିଟିଭି କ୍ୟାମେରାର ଏକ ନେଟ୍‌ୱାର୍କ ରହିବ। ସିସିଟିଭିଗୁଡ଼ିକ ଅପ୍ଟିକାଲ୍ ଫାଇବର୍‌ କେବୁଲରେ ନେଟୱାର୍କ କରାଯାଉଛି ଏବଂ ସିସିଟିଭି କ୍ୟାମେରାର ଭିଡିଓ ଫିଡ୍ ସ୍ଥାନୀୟ ଆରପିଏଫ୍ ପୋଷ୍ଟ, ବିଭାଗୀୟ ଏବଂ ଜୋନାଲସ୍ତରରେ ଏକ କେନ୍ଦ୍ରୀଭୂତ ସିସିଟିଭି କଣ୍ଟ୍ରୋଲ ରୁମ୍‌ରେ ମଧ୍ୟ ପ୍ରଦର୍ଶିତ ହେବ। ରେଳ ପରିସରରେ ବର୍ଦ୍ଧିତ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଷ୍ଟେସନ୍‌, ଭିଡିଓ ଫିଡର୍‌ ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇ ପାରିବ। ଏହି ପ୍ରଣାଳୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ସକ୍ଷମ ଭିଡିଓ ଆନାଲିଟିକ୍ସ ସଫ୍ଟୱେର୍ ଓ ଫେସିଆଲ୍ ମାନ୍ୟତାପ୍ରାପ୍ତ ସଫ୍ଟୱେର୍ ସହ ଆସିଥାଏ। ଯାହା ଷ୍ଟେସନ୍‌ ପରିସରରେ ପ୍ରବେଶ କରିବା ସମୟରେ ଜଣାଶୁଣା ଅପରାଧୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। କ୍ୟାମେରା, ସର୍ଭର, ୟୁପିଏସ୍ ଓ ସୁଇଚ୍ ଉପରେ ନଜର ରଖିବା ପାଇଁ ନେଟ୍‌ୱାର୍କ ମ୍ୟାନେଜମେଣ୍ଟ ସିଷ୍ଟମ (ଏନ୍‌ଏମ୍‌ଏସ୍‌) ପ୍ରଦାନ କରାଯାଇଛି। ରେଳ ପରିସରର ସର୍ବାଧିକ ବିସ୍ତୃତ ଅଞ୍ଚଳ ନିରୀକ୍ଷଣକୁ ନିଶ୍ଚିତ କରିବାକୁ ୪ପ୍ରକାରର ଆଇପି କ୍ୟାମେରା ଯଥା ଡୋମ୍, ବୁଲେଟ୍, ପ୍ୟାନ ଟିଲ୍ଟ ଜୁମ୍ ଓ ଅଲଟ୍ରା ଏଚ୍‌ଡି – ୪କେ ସ୍ଥାପନ କରାଯାଉଛି। ବର୍ଦ୍ଧିତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଆରପିଏଫ୍ ଅଧିକାରୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବ। ସିସିଟିଭି କ୍ୟାମେରା ଦ୍ୱାରା ରେକର୍ଡିଂ କରାଯାଇଥିବା ଭିଡିଓ ଫିଡ୍ ୩୦ଦିନ ପାଇଁ ଗଚ୍ଛିତ ରହିବ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରୋଲିଙ୍ଗ, ନିର୍ମାଣ, ନିରାପତ୍ତା, ସାଇବର୍‌ ସୁରକ୍ଷା କିମ୍ବା ମାନବ ଜଡ଼ିତ ଥିବା ପରିସ୍ଥିତିରେ ରେଳପଥର ନୂତନ ଜ୍ଞାନକୌଶଳ ଶୀଘ୍ର ଗ୍ରହଣ କରାଯିବା ଆବଶ୍ୟକ। ରେଲଟେଲ ପରିଚାଳନା ନିର୍ଦ୍ଦେଶକ ଅରୁଣା ସିଂ କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ ସବୁଠାରୁ ଆଧୁନିକ ସଫ୍ଟୱେର୍ ଓ ହାର୍ଡୱେର୍‌ ବ୍ୟବହାର ହେବ।

ସମ୍ବନ୍ଧିତ ଖବର