ଯୋଡ଼ା : ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ରେଳଷ୍ଟେସନରେ ହୋଇଥିବା ଭଙ୍ଗାରୁଜା ଏବଂ ଆର୍ପିଏଫ୍ ଯବନାଙ୍କୁ ମାଡ଼ ଘଟଣାର ତଦନ୍ତ କରିଛନ୍ତି ଆର୍ପିଏଫ୍ ଡିଆଇଜି ଆଶିଷ କୁମାର। ସେ ଷ୍ଟେସନ ପରିଦର୍ଶନ କରିବା ସହ ରେଳବାଇର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଲୋକଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଥିବା ୩ଜଣ ଆର୍ପିଏଫ୍ ଯବାନଙ୍କୁ ଜାମସେଦପୁରସ୍ଥିତି ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।
ଗତକାଲି ସନ୍ଧ୍ୟାରେ ଲକ୍ଷ୍ମଣ ପାତ୍ର ନାମକ ଜଣେ ଯୁବକ ଗୁଟ୍କା ପ୍ୟାକିଂ ପାଇଁ ୨ ନମ୍ବର ରେଳସାଇଡିଂକୁ ଯାଇଥିଲେ। ସେଠାରେ ଆର୍ପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଆର୍ପିଏଫ୍ ଖଣ୍ଡନ କରିଛି। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିବା ଆର୍ପିଏଫ୍ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ଲକ୍ଷ୍ମଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ। କୋଇଲାହଟିଂ, ଭଞ୍ଜହଟିଂ ଓ ରାଧାହଟିଂର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ଭାବେ ଷ୍ଟେସନରେ ପଶି ଭଙ୍ଗାରୁଜା କରିବା ସହ ଆସବାବପତ୍ର ଏବଂ ସରକାରୀ ରେକର୍ଡପତ୍ର ନଷ୍ଟ କରିଦେଇଥିଲେ। ସିଗନାଲ୍ ପ୍ୟାନେଲକୁ ମଧ୍ୟ ଭାଙ୍ଗି ଦେଇଥିଲେ। ସେହିପରି ଆର୍ପିଏଫ୍ ଯବାନମାନଙ୍କୁ ଅତର୍କିତ ଆକ୍ରମଣ କରିବାରୁ ୪ଜଣ ଯବାନ ଓ ଜଣେ ଏସ୍ଆଇ ଗୁରୁତର ହୋଇଥିଲେ।
ଖବର ପାଇ ଯୋଡ଼ା ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆର୍ପିଏଫ୍ ହବାନ ପି.ଏନ ପାଶୱାନ, ଏସ୍.କେ ସିଂହ ଓ ପଙ୍କଜ କୁମାରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜାମସେଦପୁରସ୍ଥିତ ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆର୍ପିଏଫ୍ ଏସ୍ଆଇ ପ୍ରଦୀପ କୁମାର ଓ ଯବାନ ରାଜୁ ରଞ୍ଜନ କୁମାର ଯୋଡ଼ାସ୍ଥିତ ଟାଟା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଡାଙ୍ଗୁଆପଶି ଏଡିଆର୍ଏମ୍ ବିକେ ସିହ୍ନା, ସିନିଅର ଡିସିଏମ୍ ମନୀଷ କୁମାର ପାଠକଙ୍କ ସହ ରେଳବାଇର ବହୁ ବରିଷ୍ଠ ଅଧିକାରୀମାନେ ଆଜି ବାଂଶପାଣି ଷ୍ଟେସନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସିଗନାଲ ବ୍ୟବସ୍ଥାକୁ ପୁନଃସ୍ଥାପିତ କରି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି।
ଯୋଡ଼ା ପୁଲିସ ଲକ୍ଷ୍ମଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଉଭୟ ରେଳବାଇ ପୁଲିସ ଏବଂ ମୃତକଙ୍କ ପରିବାର ପକ୍ଷରୁ ଯୋଡ଼ା ଥାନାରେ ଏତଲା ଦିଆଯାଇଛି।
ରେଳବାଇ ପୁଲିସର ଅଭିଯୋଗକ୍ରମେ କେସ୍ ନମ୍ବର ୧୬୯/୨୦୨୧ରେ ଏକ ମାମଲା ରୁଜୁ ହୋଇଛି। ସେହିପରି କେସ୍ ନମ୍ବର ୩୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଉଭୟ ମାମଲାର ତଦନ୍ତ ଚାଲିଛି ବୋଲି ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି। ସେହିପରି କୋଲକାତାରୁ ଆସିଥିବା ଆର୍ପିଏଫ୍ ଡିଆଇଜି ଆଶିଷ କୁମାର କହିଛନ୍ତି, ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତ ଯବାନଙ୍କୁ କିପରି ଚିକିତ୍ସା ସହାୟତା କରାଯିବ ସେନେଇ ଆଲୋଚନା କରିବେ। ଏହି ଘଟଣାରେ ମୋଟ ୫ଜଣ ଆର୍ପିଏଫ୍ ଆହତ ହୋଇଛନ୍ତି। ଜଣେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଥିବା ଶ୍ରୀ କୁମାର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bansapani.jpg)