ଘୋଷଣାକୁ ୪ ବର୍ଷ ବିତିଲା : ଖୋଲୁନି ରେଳବାଇ ଟିକଟ କାଉଣ୍ଟର

ଜୟପୁର : ଯାତ୍ରୀଙ୍କ ସୁବିଧା ପାଇଁ ଜୟପୁର ସହରରେ ରେଳବାଇ ପକ୍ଷରୁ ଖୋଲିବ ଟିକେଟ ବୁକିଂ କାଉଣ୍ଟର। ପ୍ରାୟ ୪ବର୍ଷ ତଳେ ଏମିତି ଘୋଷଣା ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଏପର୍ଯ୍ୟନ୍ତ ଏହି ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସହର ଜୟପୁର। ପ୍ରତିଦିନ ପ୍ରାୟ ୪୦ରୁ ଅଧିକ ବସ ୩ଟି ରୁଟ୍‌ରେ ରାତ୍ରୀକାଳୀନ ସେବା ଯୋଗାଉଛନ୍ତି। ତଥାପି ରେଳପଥରେ ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଯାତ୍ରୀମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। ତେବେ ଜୟପୁର ଠାରୁ ରେଳ ଷ୍ଟେସନ ଦୂରତା ଅଧିକ ଥିବାରୁ ଲୋକଙ୍କୁ ସେଠାକୁ ଯାଇ ଟିକ୍‌ଟ କରିବା କଷ୍ଟକର ହେଉଛି। ଯଦି ସହର ମଧ୍ୟରେ ଗୋଟିଏ କାଉଣ୍ଟର କରାଯିବ ତାହାହେଲେ ଯାତ୍ରୀମାନେ ଉପକୃତ ହେବେ। ପ୍ରତିଦିନ ଜୟପୁର ଓ କୋରାପୁଟ ଦେଇ ୫ଟି ମେଲ୍‌ ତଥା ଏକ୍ସପ୍ରେସ ଓ ଗୋଟିଏ ପାସେଞ୍ଜର ଟ୍ରେନ ଚଳାଚଳ କରୁଛି। ହୀରାଖଣ୍ଡ ଏକ୍ସପ୍ରେସ, ସମଲେଶ୍ୱରୀ ଏକ୍ସପ୍ରେସ, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ, କିରଣ୍ଡୁଲ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌ ଓ କୋରାପୁଟ-ରାଉରକେଲା ଇଣ୍ଟର ସିଟି ଜୟପୁର ତଥା କୋରାପୁଟ ଷ୍ଟେସନ ଦେଇ ଯାତ୍ରା କରୁଛି। ଯଦି ଲୋକେ ଏହି ଟେନ୍‌ ଗୁଡ଼ିକର ଟିକ୍‌ଟ ସହରରେ ହିଁ କରିପାରିବେ ତାହାହେଲେ ଯାତ୍ରୀ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ୪ବର୍ଷ ତଳେ ସହରରେ ଟିକଟ କାଉଣ୍ଟର ଖୋଲିବ ବୋଲି ରେଳବାଇ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତୀ ସମୟରେ ବିଭାଗ ଚୁପ୍‌ ହୋଇଯିବାରୁ ୨୦୧୫ ମସିହା ଜୁନ ମାସରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏଥିନେଇ ଦାବି ଉପସ୍ଥାପନା କରାଯାଇଥିଲା।

ଏ ସମ୍ପର୍କରେ ଜୟପୁର ରେଳ ଷ୍ଟେସନ ପରିସରରେ ବହୁବାର ଆଲୋଚନା ମଧ୍ୟ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେପରି କୌଣସି ସୁବିଧା ହୋଇପାରି ନାହିଁ। ଅନ୍ୟପକ୍ଷରେ ଘୋଷଣା କରିବା ସମୟରେ ରେଳ ବିଭାଗ ବିଶାଖାପାଟଣା ଅପରେସନ ମ୍ୟାନେଜର, ସହକାରୀ କମର୍ସିଆଲ ମ୍ୟାନେଜର, ଜଗଦଲପୁର ସହକାରୀ ଇଂଜିନିୟର, ଜୟପୁର ଷ୍ଟେସନ ମ୍ୟାନେଜର ପ୍ରମୁଖ ଡାକଘର ନିକଟରେ ସ୍ଥାନ ଚିହ୍ନଟ କରିଥିଲେ। କିନ୍ତୁ ପରେ ରେଳବାଇ ଓ ଡାକଘର ମଧ୍ୟରେ କୌଣସି କାରଣରୁ ହୋଇଥିବା ଚୁକ୍ତି ବାତିଲ ହୋଇଥିଲା। ମିଳିଥିବା ସୂଚନା ମୁତାବକ ଏବେ ପାରଳାଖେମୁଣ୍ଡି, ରାୟଗଡା, ଗୁଣୁପୁର ଓ ଜୟପୁରରେ ଏହିପରି ଏକ ଟିକେଟ ବୁକିଂ କାଉଣ୍ଟର ଖୋଲାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ସପ୍ତାହରେ ପାରଳାଖେମୁଣ୍ଡିରେ ଏକ ଟିକେଟ କାଉଣ୍ଟର ଖୋଲାଯିବାକୁ ଯୋଜନା ରହିଥିବା ବେଳେ ଜୟପୁର, ରାୟଗଡା ଓ ଗୁଣପୁରରେ ଆସନ୍ତା ଦିନରେ ଖୋଲାଯିବାକୁ ଯୋଜନା ରହିଥିବା କୁହାଯାଉଛି। କିନ୍ତୁ କେବେ ଖୋଲିବ ସେନେଇ କିଛି କୁହାଯାଉ ନାହିଁ।

ରେଳ ବିଭାଗ ବିରିଷ୍ଠ ଅଧିକାରୀ ମୁଖଲିଙ୍ଗ ପାଢୀ କହିଛନ୍ତି ଯେ କେନ୍ଦ୍ର ରେଳ ବୋର୍ଡରୁ ଉପରୋକ୍ତ ୪ଟି ସ୍ଥାନରେ ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ ରାଜିନାମା ହୋଇସାରିଛି। ସରଞ୍ଜାମ ମଧ୍ୟ ଆସି ସାରିଥିବା ବେଳେ ଆସନ୍ତା ସପ୍ତାହରେ ଏହାର ଶୁଭାରମ୍ଭ ହେବ। ଜୟପୁରରେ ପାରାବେଡା ସତ୍ୟ ଅଧିକାରୀ ଛକ ନିକଟରେ ଗୋଟିଏ ଘରକୁ ୩ ମାସ ପାଇଁ ଭଡାସୂତ୍ରରେ ନିଆଯାଇଛି। ଜାତୀୟ ରାଜପଥ କଡରେ ଥିବା ଏସବିଆଇ ଏଟିଏମ ନିକଟରେ ଏକ ସ୍ଥାୟୀ ଘର ନିଆଯାଇଥିବା ଜଣାପଡିଛି। ଚଳିତବର୍ଷ ଫେବ୍ରୁଆରି ପ୍ରଥମ ସପ୍ତାହରେ ଏଥିପାଇଁ ଅନୁମତି ମିଳିଥିବା ବେଳେ କାଗଜପତ୍ର କାମ ଏପ୍ରିଲ ମାସରେ ଶେଷ ହୋଇଛି। ଅନ୍ୟ ପ୍ରକ୍ରିୟା ଶେଷ କରି ଖୁବଶୀଘ୍ର ଜୟପୁରରେ ଶ୍ରୀ ଜଗନ୍ନାଥ ଯାତ୍ରୀ ଟିକେଟ ସେବା କେନ୍ଦ୍ର ଉଦଘାଟିତ ହେବ ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ଅନିରୁଦ୍ଧ ମହାନ୍ତି କହିଛନ୍ତି ଯେ ୨୦୧୫ରେ ଏହି କେନ୍ଦ୍ର ଖୋଲାଯିବାକୁ ଅନୁମତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ହୋଇ ନ ପାରିବା ବଡ ଦୁଃଖର ବିଷୟ। ରେଳ ଷ୍ଟେସନକୁ ଯାଇ ଟିକେଟ କାଟିବା ସମୟରେ ଲୋକେ ହନ୍ତସନ୍ତ ହେଉଛନ୍ତି। ୨୦୧୮ ସୁଦ୍ଧା ଏହି କେନ୍ଦ୍ର ନ ଖୋଲିବା କୋରାପୁଟ ଜିଲ୍ଲା ପ୍ରତି ପୁଣି ଏକ ଅବହେଳା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର