ଚେକ୍‌ ବାଉନ୍ସ ମାମଲା: ଜେଲ୍‌ ଗଲେ ରେଳ କର୍ମଚାରୀ

ଟିଟିଲାଗଡ଼ : ଏକ ଚେକ ବାଉନ୍ସ୍ ମାମଲାରେ ଦୋଷୀ ସବ୍ୟସ୍ତ ହୋଇ ସ୍ଥାନୀୟ ରେଳ ବିଭାଗର କର୍ମଚାରୀ ବାବୁଲୁ ସୁନା ଜେଲ୍‌ ଯାଇଛନ୍ତି। ସୂଚନା ଅନୁସାରେ, ବାବୁଲୁ ସ୍ଥାନୀୟ ଶିରଭଟା ପଡ଼ା ନିବାସୀ ଦୁଃଖୀଶ୍ୟାମ ଭାଟିଙ୍କଠାରୁ ୫ ଲକ୍ଷ ଟଙ୍କା ବ୍ୟକ୍ତିଗତ ଅସୁବିଧା ହେତୁ ଧାର ନେଇଥିଲେ। ଏହି ଟଙ୍କା ଫେରସ୍ତ ବାବଦକୁ ସେ ଶ୍ରୀ ଭାଟିଙ୍କୁ ଏକ ଚେକ୍‌ ଦେଇଥିଲେ। ହେଲେ ଶ୍ରୀ ଭାଟି ଉକ୍ତ ଚେକ୍‌କୁ ନିଜ ଖାତାରେ ଜମା କରିବା ପରେ ଆବଶ୍ୟକ ଟଙ୍କା ଅଭାବରୁ ତାହା ବାଉନ୍ସ ହୋଇଥିଲା। ଏହାକୁ ନେଇ ଅଭିଯୋଗକାରୀ ଆଇନର ଆଶ୍ରୟ ନେଇଥିଲେ। ମାମଲାର ବିଚାର କରି ସ୍ଥାନୀୟ ଜେଏମ୍‌ଏଫ୍‌ସି ଅଦାଲତ ଅଭିଯୁକ୍ତ ବାବୁଲୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ଲକ୍ଷ ମୂଳ ଟଙ୍କା ଓ ଅତିରିକ୍ତ ଏକ ଲକ୍ଷ ଟଙ୍କା ସୁଧ ସହ ସମୁଦାୟ ୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରିବାକୁ ନିର୍ଦେଶ ଦେଇଥିଲେ।

ଏହି ରାୟ ବିରୋଧରେ ସ୍ଥାନୀୟ ଉପରିସ୍ଥ ଏଡିଜେ ଅଦାଲତରେ ଅପିଲ ହୋଇଥିଲା। ଏଡିଜେ ମାମଲାର ବିଚାର କରି ତଳ କୋର୍ଟ ଦେଇଥିବା ରାୟକୁ କାୟମ ରଖିବା ସହ ୬ ଲକ୍ଷ ଟଙ୍କା ଫେରସ୍ତ ସହ ୬ ମାସ ଜେଲ୍‌ ଦଣ୍ଡ‌ାଦେଶ ଶୁଣାଇଥିଲେ। ଏହି ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଫେରାର ମାରିଥିଲେ। ଅଭିଯୋଗକାରୀ ପୁଣି କୋର୍ଟର ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ଅକ୍ଟୋବର ୧୦ ତାରିଖ ଦିନ କୋର୍ଟ ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି କରିଥଲେ। କୋର୍ଟଙ୍କ ଆଦେଶ ଅନୁଯାୟୀ ରେଳବାଇ ପୁଲିସ ବୁଧବାର ରାତିରେ ଅଭିଯୁକ୍ତ ବାବୁଲୁଙ୍କୁ ରେଳ ଷ୍ଟେସନ ପରିସରରୁ ତାଙ୍କୁ ଗିରଫ କରିବା ସହ ଗୁରୁବାର କୋର୍ଟରେ ହାଜର କରିଥିଲା। ମାନ୍ୟବର ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ମନୋଜ ହାତୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର