ଭୁବନେଶ୍ବର : କରୋନା ଗଲାଣି। ସ୍ବାଭାବିକ ହେଲାଣି ରେଳ ସେବା। କରୋନା ସମୟରେ ବନ୍ଦ ରହିଥିବା ‌ଟ୍ରେନ୍‌ଗୁଡ଼ିକ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଥିବା ନେଇ ରେଳ ମନ୍ତ୍ରଣାଳୟ କହିଛି। ପୂର୍ବତଟ ରେଳପଥ ସହ ଦେଶର ସମସ୍ତ ରେଳପଥ ଉଭୟ ଯାତ୍ରୀ ଓ ମାଲବାହୀ ପରିବହନରେ ଏବେ ପ୍ରଚୁର ଲାଭ କରୁଛନ୍ତି। ମାତ୍ର ବରିଷ୍ଠ ନାଗରିକଙ୍କୁ ଏବେ ବି ରିହାତି ସୁବିଧାରୁ ବଞ୍ଚିତ କରାଯାଉଛି।ପାଖାପାଖି ୮ କୋଟିରୁ ଅଧିକ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ସେମାନେ ‌କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ବରିଷ୍ଠ ନାଗରିକ ନୁହଁନ୍ତି, ଅନ୍ୟାନ୍ୟ କିଛି ବର୍ଗ ମଧ୍ୟ ରିହାତି ସୁବିଧା ଯୋଗାଇ ଦିଆଯାଉ ନଥିବା ଜଣାପଡ଼ିଛି। ରୋଗୀ ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ରିହାତି ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରାଯାଇଥିଲେ ମଧ୍ୟ ବୟସ୍କଙ୍କ ପ୍ରତି କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ ଉଠିଛି।
Advertisment

ବରିଷ୍ଠ ନାଗରିକଙ୍କୁ ଟ୍ରେନ୍‌ ଯାତ୍ରାରେ ଦିଆଯାଉଥିବା ରିହାତି ପୁନର୍ବାର ଲାଗୁ କରିବାକୁ ସଂସଦୀୟ କମିଟି ମଧ୍ୟ ସୁପାରିସ କରିଛନ୍ତି। କରୋନା ପୂର୍ବରୁ ଟ୍ରେନ୍‌ ଯାତ୍ରା କରୁଥିବା ୬୦ ବର୍ଷରୁ ଅଧିକ ବୟସର ପୁରୁଷ ଓ କିନ୍ନରମାନଙ୍କୁ ୪୦% ଏବଂ ମହିଳାମାନଙ୍କୁ ୫୦% ରିହାତି ଦିଆଯାଉଥିଲା।

ଗତବର୍ଷ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ଦାୟର ହୋଇଥିଲା। ଗତ ଏପ୍ରିଲ ମାସରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଉକ୍ତ ମାମଲାକୁ ଖାରଜ କରି ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ ସମ୍ବିଧାନର ଧାରା ୩୨ ଅଧୀନରେ ଏହି ପ୍ରସଙ୍ଗରେ ରିଟ୍‌ ଜାରି କରିବା କୋର୍ଟଙ୍କୁ ଯୁକ୍ତିଯୁକ୍ତ ମନେ ହେଉନାହିଁ। ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ଓ ଏହି ନିଷ୍ପତ୍ତିର ଆର୍ଥିକ ପ୍ରଭାବ ବିଚାରକୁ ନେଇ କେନ୍ଦ୍ର ସରକାର ଯାହା କିଛି ପଦକ୍ଷେପ ଗ୍ରହଣ କରିପାରିବେ। ତା’ସତ୍ତ୍ବେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଉ ନ ଥିବାରୁ ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

publive-image Mid-Day

ସେପଟେ ବରିଷ୍ଠ ନାଗରିକମାନଙ୍କୁ ରିହାତିରୁ ବଞ୍ଚିତ କରି ରେଳବାଇ ନିଜ ଆୟ ବଢ଼ାଇବାରେ ସଫଳ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇ ଏହି ସୂତ୍ରରୁ ୨ହଜାର ୨୪୨ କୋଟି ଟଙ୍କା ଅଧିକ ଆୟ କରିଥିଲା। ସେମାନଙ୍କ ମଧ୍ୟରୁ ୪.୬ କୋଟି ପୁରୁଷ ଏବଂ ୩.୩ କୋଟି ମହିଳା ଯାତ୍ରୀ ରହିଥିଲେ। ୧୮ ହଜାରରୁ ଅଧିକ କିନ୍ନର ମଧ୍ୟ ଥିଲେ। ବରିଷ୍ଠ ନାଗରିକ ଯାତ୍ରୀଙ୍କଠାରୁ ଉକ୍ତ ଆର୍ଥିକ ବର୍ଷରେ ମୋଟ ୫ ହଜାର ୦୬୨ କୋଟି ଟଙ୍କା ଆୟ ହୋଇଥିଲା।

କିଛି ମାସ ତଳେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ କରୋନା ଆହ୍ବାନ ସତ୍ତ୍ବେ ଦିବ୍ୟାଙ୍ଗମାନଙ୍କ ୪ଟି ବର୍ଗ, ରୋଗୀ ଓ ଛାତ୍ରଛାତ୍ରୀ ପରି ୧୧ଟି ବର୍ଗ ପାଇଁ ରିହାତି ଜାରି ରହିଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ରିହାତିକୁ ପୁନର୍ବାର ଉପଲବ୍ଧ କରାଇବା ଏବେ ବିଚାରଯୋଗ୍ୟ ନାହିଁ। ବରିଷ୍ଠ ନାଗରିକମାନଙ୍କୁ ରିହାତି ଦିଆଯାଉଥିବାରୁ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ରେ ରେଳବାଇ ୪ହଜାର ୭୯୪ କୋଟି ଟଙ୍କାର ରାଜସ୍ବ ହରାଇଥିଲା। କମ୍ ମୂଲ୍ୟ‌‌ରେ ଟିକେଟ୍‌ ଉପଲବ୍ଧ କରାଇ ସବୁ ଯାତ୍ରୀଙ୍କ ଯାତ୍ରାର ୫୦%ରୁ ଅଧିକ ଖର୍ଚ୍ଚ ରେଳବାଇ ବହନ କରୁଛି। ରିହାତି ଦେବା ଦ୍ବାରା ରେଳବାଇ ଉପରେ ଗଭୀର ଚାପ ପଡ଼ୁଛି। ତେଣୁ ବରିଷ୍ଠ ନାଗରିକଙ୍କୁ ଏବେ ରିହାତି ଦେବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ବିଭିନ୍ନ ପ୍ରକାର ଟିକେଟ୍‌ ମୂଲ୍ୟରେ ଟ୍ରେନ୍ ଓ ବର୍ଥ ବରିଷ୍ଠ ନାଗରିକମାନଙ୍କ ଲାଗି ଉପଲବ୍ଧ ରହିଛି। କିନ୍ତୁ ସେଥିରେ ରିହାତି ମିଳୁନାହିଁ ବୋଲି ସେ କହିଥିଲେ।