ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ଦେଇ ରେଳପଥ ସଂଯୋଗ ନେଇ ଜିଲ୍ଲାବାସୀ ବହୁଦିନରୁ ଆଶା ବାନ୍ଧିଛନ୍ତି। ଏଥିପାଇଁ ବାରମ୍ବାର ଦାବି, ପ୍ରସ୍ତାବ ଦିଆଯାଇଛି। ବିଶେଷକରି ଝାରସୁଗୁଡ଼ାଠାରୁ ଅମ୍ବିକାପୁର ରେଳସଂଯୋଗ ବହୁବର୍ଷର ସ୍ବପ୍ନ ହୋଇଥିବାବେଳେ ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ଏହି ସ୍ବପ୍ନ ସାକାର ହେବ ବୋଲି ସୁନ୍ଦରଗଡ଼ବାସୀଙ୍କ ଆଶା ବଢ଼ିଥିଲା। ଏହାମଧ୍ୟରେ ଅନ୍ୟ ଏକ ନୂଆ ରେଳପଥ ସରଡେଗା-ପଥଲଗାଁଓ-ଅମ୍ବିକାପୁର ପାଇଁ ଡ୍ରୋନ୍ ସର୍ଭେ ଶେଷ ହୋଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ଆଗାମୀ ବଜେଟ୍ରେ ଏହି ରେଳପଥ ସ୍ଥାନ ପାଇବାର ସମ୍ଭାବନା ଦେଖା ଦେଇଛି।
ବିଧାୟିକା କୁସୁମ ଟେଟେ ୨୦୨୧ ଅଗଷ୍ଟରେ ନୂଆଦିଲ୍ଲୀସ୍ଥ ରେଳମନ୍ତ୍ରୀଙ୍କ ଘରେ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି ଝାରସୁଗୁଡା-ଅମ୍ବିକାପୁର ନୂଆ ରେଳପଥ, ସରଡେଗା-ଲାଇକେରା-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ଓ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ସନ୍ଧ୍ୟାରେ ଦ୍ୱିତୀୟ ଇଣ୍ଟରସିଟି ରେଳ ଚଳାଚଳ ପାଇଁ ଦାବି ଜଣାଇଥିଲେ। ଏହାପରେ ରେଳମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବିଧାୟିକା ଦ୍ୱିତୀୟଥର ତାଙ୍କୁ ନିଜ ସମର୍ଥକମାନଙ୍କ ସହ ଭେଟି ସରଡେଗାଠାରୁ ପଥଲଗାଁଓ ଦେଇ ଅମ୍ବିକାପୁର ନୂଆ ରେଳପଥ ଓ ଝାଡ଼ଖଣ୍ଡ ରାଜ୍ୟ ଲୋହରଡେଗା ପର୍ଯ୍ୟନ୍ତ ରେଳପଥ ସମ୍ପ୍ରସାରଣ କଲେ ଏହା ଏକ ବାଣିଜ୍ୟିକ କରିଡର ହେବ ବୋଲି ଯୁକ୍ତି ରଖିଥିଲେ। ଏହାପରେ ରେଳ ବିଭାଗ ସରଡେଗା-ପଥଲଗାଁଓ -ଅମ୍ବିକାପୁରର ଡ୍ରୋନ୍ ସର୍ଭେ ଶେଷକରି ରିପୋର୍ଟ ଦେଇଥିବା ସୂଚନା ମିଳିଛି। ଅଞ୍ଚଳବାସୀ ଏହାକୁ ନେଇ ଖୁସି ବ୍ୟକ୍ତ କରିଥିବାବେଳେ ରେଳମନ୍ତ୍ରୀ ବହୁଦିନରୁ ପ୍ରସ୍ତାବିତ ଝାରସୁଗୁଡ଼ା- ସୁନ୍ଦରଗଡ଼- ଅମ୍ବିକାପୁର ରେଳପଥ ସଂଯୋଗ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।