ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥ : ତେଲ ନଦୀ ଉପରେ ପୋଲ ନିର୍ମାଣ ଖୁବ୍‌ଶୀଘ୍ର

ଭୁବନେଶ୍ବର : ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂତନ ରେଳପଥ ନିର୍ମାଣ କାର୍ଯ୍ୟର ଏକ ଅଂଶ ଭାବରେ ତେଲ ନଦୀ ଉପରେ ଗୁରୁତ୍ୱପୂର୍ଣ ରେଳ ପୋଲ ନଂ. ୬୭୭ ର ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ପୋଲ ନିର୍ମାଣ ବାବଦରେ ପ୍ରାୟ ୨୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ଅଛି।

ସୋନପୁର ସହର ନିକଟସ୍ଥ ତେଲ ନଦୀ ଉପର ଦେଇ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂତନ ରେଳପଥ ଅତିକ୍ରମ କରିବା। ଏହି ରେଳ ପୋଲଟି ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂରରେ ନିର୍ମିତ ହେବ। ବନ୍ୟା ସମୟରେ ମହାନଦୀର ମାତ୍ରାଧିକ ଜଳ ତେଲ ନଦୀକୁ ଆସୁଥିବାରୁ ଏହି ରେଳ ପୋଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂତନ ରେଳପ୍ରକଳ୍ପରେ ତେଲ ନଦୀ ଉପର ଏହି ରେଳ ପୋଲ ସବୁଠୁ ଲମ୍ବା ହେବ। କୌଣସି ମୋଡ଼ ନଥାଇ ଦୁଇଟି ନଦୀର ସିଧା ସଳଖ ପ୍ରବାହ ଓ ସଙ୍ଗମ ସ୍ଥଳ ନିକଟରେ ମାତ୍ରାଧିକ ବନ୍ୟାଜଳ ପ୍ରବାହ ସମୟରେ ଏହି ପ୍ରସ୍ତାବିତ ରେଳ ପୋଲ ଉପର ମହାନଦୀର ବହୁତ ପ୍ରଭାବ ପଡ଼ିବ। ସମସ୍ତ କାରଣକୁ ଧ୍ୟାନରେ ରଖି ୪୫.୭୦ ମିଟର ର ୧୭ଟି ସ୍ପାନ୍‌ ଏହି ରେଳ ପୋଲରେ ଉପଲବ୍ଧ କରାଯିବା ପାଇଁ ପ୍ରସ୍ତାବ ଅଛି। ଇତିମଧ୍ୟରେ ମାଟିର ଯାଞ୍ଚ ସାରିଛି। ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ୪୫.୭୦ମି. ଖୋଲା ୱେବ ଷ୍ଟିଲ ଗାର୍ଡର ବ୍ୟବହାର କରାଯାଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବଶ୍ରେଷ୍ଠ ଗୁଣବତ୍ତା ପାଇଁ ଏହି ଷ୍ଟିଲ ଗାର୍ଡର୍‌ର ନିର୍ମାଣ କାର୍ଯ୍ୟ ମୋଗଲସରାଇ ସ୍ଥିତ ରେଳବାଇ ୱାର୍କସପଠାରେ କରାଯାଉଅଛି।

ସମ୍ବନ୍ଧିତ ଖବର