ସମ୍ବଲପୁର: ରେଳବାଇର ଦାୟିତ୍ବହୀନତା ଯୋଗୁ ସମ୍ବଲପୁର ବୁଢ଼ାରଜା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ନିରୀହ ଛାତ୍ର ଦୀପୁ ଯାଦବ (୧୨)ଙ୍କ ଜୀବନ ଅକାରଣରେ ଚାଲିଯାଇଛି। ଏହି ଘଟଣାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନାହିଁନଥିବା ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ ସମ୍ବଲପୁର ଫାଟକ-କ୍ଷେତରାଜପୁର ରେଳଲାଇନର ଉନ୍ନୟନମୂଳକ କାମ ଚାଲିଛି। ଫାଟକଠାରେ ରେଳଲାଇନ୍କୁ ଲାଗି ବୁଢାରଜା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ଓ ରେଳପଥ ମଝିରେ କେବଳ ସ୍କୁଲ୍ ପାଚେରି ରହିଛି। ସୋମବାର ଦିନ ୩ଟା ୪୫ ସମୟରେ ରେଳବାଇ ପକ୍ଷରୁ ସ୍କୁଲ ପାଖରେ ଥିବା ଗୋଟିଏ ବଡ଼ ଲୁହାଖୁଣ୍ଟକୁ ଗ୍ୟାସ କଟର୍ ସହାୟତାରେ କଟାଯାଉଥିଲା। ତେବେ, ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ଲୁହାଖୁଣ୍ଟଟି କଟିବା ପରେ ଛିଣ୍ଡିଯାଇ ସ୍କୁଲ ପାଚେରି ଭିତରେ ପରିସ୍ରା କରିବାକୁ ଆସିଥିବା ଷଷ୍ଠ ଶ୍ରେଣୀ ଛାତ୍ର ଦୀପୁ ଯାଦବଙ୍କ ଉପରେ ପଡ଼ିଥିଲା। ଲୁହାଖଣ୍ଡ ଦୀପୁଙ୍କ ଗୋଡ଼ ଉପରେ ପଡ଼ିବା ପରେ ସେ ତଳେ ପଡ଼ି ଯାଇଥିଲେ ଓ ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ସେହି ସମୟରେ ପାଖରେ ଥିବା କାହ୍ନୁ ଯାଦବ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ଦୀପୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ‘ରେଳବାଇ ନିଯୁକ୍ତ ଦୁଇଜଣ ଶ୍ରମିକ ଏହି ଲୁହା ଖୁଣ୍ଟକୁ କାଟୁଥିଲେ। ସେମାନେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ଲୁହା ଖୁଣ୍ଟରେ ରଶି ବନ୍ଧା ହୋଇନଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କାହ୍ନୁ ଯାଦବ କହିଛନ୍ତି। ସ୍କୁଲ ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରଧାନ କହିଛନ୍ତି, ଦୀପୁ ପରିସ୍ରା କରିବାକୁ ଶ୍ରେଣୀ କକ୍ଷରୁ ପାଚେରି ପାଖକୁ ଆସିଥିଲା। କିନ୍ତୁ, ପାଚେରି ସେପଟେ ରେଳବାଇର ଲୋକମାନେ କାମ କରୁଥିଲେ ବି ଆମକୁ ଏ ସଂପର୍କରେ କୌଣସି ସୂଚନା ଦେଇନଥିଲେ। ଯାହା ପାଇଁ ଆଜି ଏତେ ବଡ଼ ଦୁର୍ଘଟଣା ଘଟିଗଲା ବୋଲି ସେ କହିଛନ୍ତି। ଘଟଣା ସଂକ୍ରାନ୍ତରେ ସ୍କୁଲ ପକ୍ଷରୁ ରେଳବାଇ ବିରୋଧରେ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଛି।
ଅପରପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ଦୀପୁଙ୍କ ବାପା ଦେବକୁମାର ଯାଦବଙ୍କ ସହିତ ବିହାରୀପଡ଼ାର ବହୁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଏଡିଆରଏମ୍) ପହଞ୍ଚି ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ସ୍ଥାନୀୟ ଲୋକେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣକୁ ରେଳବାଇ ଚାକିରି ଦାବିରେ ଅଡ଼ି ବସିଥିଲେ। ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ଦିଆଯିବ ନାହିଁ ବୋଲି ଲୋକେ କହିଥିଲେ। ସବିଶେଷ ଖବର ଅନୁଯାୟୀ ମୃତ ଛାତ୍ରଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ସହ ଜଣକୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି ରେଳ ବିଭାଗ ପ୍ରତିଶ୍ରୁତି ଦେଇଛି। ଛାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମା’ ସମଲେଇ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।
ରେଳବାଇର ଦାୟିତ୍ବହୀନତା: ଲୁହାଖୁଣ୍ଟ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ
ରେଳବାଇର ଦାୟିତ୍ବହୀନତା ଯୋଗୁ ସମ୍ବଲପୁର ବୁଢ଼ାରଜା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ନିରୀହ ଛାତ୍ର ଦୀପୁ ଯାଦବ (୧୨)ଙ୍କ ଜୀବନ ଅକାରଣରେ ଚାଲିଯାଇଛି। ଏହି ଘଟଣାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ...
/sambad/media/media_files/2025/08/12/untitled-17-2025-08-12-07-46-54.jpg)