ଭୁବନେଶ୍ବର : ରେଳଧାରଣା ଉପରେ ବା ଟ୍ରେନ୍ ଉପରେ ଚଢ଼ି ଦୁଃସାହସିକ ସେଲ୍ଫି ଉଠାଇବା ଏବେ ଯୁବପିଢ଼ିଙ୍କ ନିଶା ପାଲଟିଛି। ଗତ କିଛି ବର୍ଷ ମଧ୍ୟରେ ଏଭଳି ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ଯାଇଛି। ତେଣୁ ଏହା ଉପରେ ରୋକ୍ ଲଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ଏହା ସହ ଟ୍ରେନ ଉପରେ କିମ୍ବା ରେଳଧାରଣା ନିକଟରେ ସେଲ୍ଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରେଳବାଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସେଲ୍ଫି ଜନିତ ବିପଦକୁ ଏଡ଼ାଇବା ପାଇଁ ରେଳଧାରଣା, ଟ୍ରେନ୍ ଭିତରେ ଅନ୍ୟ ଯାତ୍ରୀମାନେ ଯେପରି ଏ ନେଇ ସଚେତନ ହେବେ ସେଥିପାଇଁ ବିଭିନ୍ନ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।
/sambad/media/post_attachments/wp-content/uploads/2019/09/Selfies-banned-ff-300x170.jpg)
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ବହୁ ଯୁବକ ରେଳଧାରଣା ଉପରେ ଚଳନ୍ତା ଟ୍ରେନ୍ ଆଗରେ ସେଲ୍ଫି ଉଠାଉଥିବାବେଳେ ଟ୍ରେନ୍ ଗାର୍ଡଙ୍କ ବାରମ୍ବାର ହୁଇସିଲ୍କୁ ବି କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳୁଛି। ସେହିପରି ରେଳଧାରଣା ଉପରେ ଥିବା ବିଦ୍ୟୁତ ତାରରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ପ୍ରବାହ ହେଉଥିବାବେଳେ ଏହା ଟ୍ରେନ୍ର ଛାତଠାରୁ କମ୍ ଉଚ୍ଚତାରେ ଥାଏ। ଯେଉଁମାନେ ଟ୍ରେନ୍ ଉପରେ ବା ଇଞ୍ଜିନ ଉପରେ ଚଢ଼ି ସେଲ୍ଫି ଉଠାନ୍ତି ସେମାନେ ଏହି ତା’ର ସଂସ୍ପର୍ଶରେ ସହଜରେ ଆସିଯା’ନ୍ତି। ଆଉ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ତେଣୁ ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ସଚେତନତା କରାଯାଉଛି।