ଛତିଶଗଡ଼କୁ ରେଳ ଚଳାଚଳ ବନ୍ଦ ଲାଗି ଓଡ଼ିଶାର ଅନୁରୋଧକୁ ରେଳବାଇର ପ୍ରତ୍ୟାଖ୍ୟାନ

ଭୁବନେଶ୍ବର : ଛତିଶଗଡ଼କୁ ରେଳସେବା ବନ୍ଦ ଲାଗି ଓଡ଼ିଶା ସରକାର କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛି ଭାରତୀୟ ରେଳ । ତେବେ ଏହି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ଓଡ଼ିଶା ସରକାର ଠିକଭାବେ ଯାଞ୍ଚ କରିବାର ବ୍ୟବସ୍ଥା କରନ୍ତୁ ବୋଲି ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା ଓଡ଼ିଶା ସରକାରଙ୍କୁ ଜଣାଇଦେଇଛନ୍ତି  ।

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଶ୍ରୀ ଶର୍ମା କହିଛନ୍ତି ଯେ ମାର୍ଚ୍ଚ ୨୩ରେ ଆସିଥିବା ଗୃହମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ରେଳ ଚଳାଚଳ ଜାରି ରହିବ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ଗୃହମନ୍ତ୍ରାଳୟ ସହ ଯୋଗାଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଶ୍ରୀ ଶର୍ମା କହିଥିଲେ ଯେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିଲେ ବି ରେଳସେବାକୁ ଆହୁରି ହ୍ରାସ କରାଯିବ ନାହିଁ । ରେଳ ସେବା ପୂର୍ବବତ୍ ଚାଲୁ ରହିବ । ଯଦି ଯାତ୍ରୀ ଚାହିଦା ବଢେ ତେବେ ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ । ସେ କହିଛନ୍ତି ଯେ ଯାତ୍ରୀ ସଂଖ୍ୟା ବଢିଲେ ଆହୁରି ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ ।  ତେବେ ରେଳଯାତ୍ରା ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇନାହିଁ । ସୂଚନାଯୋଗ୍ୟ ଯେ ଛତିଶଗଡ଼ରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି ।

ସମ୍ବନ୍ଧିତ ଖବର