ରାଉରକେଲା: ଗ୍ରାମାଞ୍ଚଳ ସମେତ ପ୍ରମୁଖ ଶିଳ୍ପାଞ୍ଚଳକୁ ରେଳପଥ ଓ ସଡ଼କ ପଥ ସଂଯୋଗୀକରଣରେ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଉଦ୍ଦେଶ୍ୟ ରହିଛି, ଯାତ୍ରୀଙ୍କ ଗମନାଗମନ ସମୟ ହ୍ରାସ କରିବାସହ ବ୍ୟବସାୟ ବିସ୍ତାର ଓ ସ୍ଥାନୀୟ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଏହି କ୍ରମରେ ରେଳ ପଥ ଓ ସଡ଼କ ନିର୍ମାଣ କରାଯାଉଛି। ଇତିମଧ୍ୟରେ ପିଏମ୍ ଗତି ଶକ୍ତି ଅନ୍ତର୍ଗତ ରାଷ୍ଟ୍ରୀୟ ଯୋଜନା ସମୂହ (ଏନ୍ପିଜି)ର ବୈଠକରେ ଓଡ଼ିଶାର ଦୁଇଟି ନୂତନ ରେଳପଥ ପ୍ରକଳ୍ପର ମୂଲ୍ୟାୟନ କରାଯାଇଛି। ସେଗୁଡ଼ିକ ହେଲା ବଡ଼ବିଲ-ନୟାଗଡ଼-ବରସୁଆଁ ଏବଂ ଭଦ୍ରାସାହୀ-କିରିବୁରୁ ପ୍ରକଳ୍ପ। ଏଥିପାଇଁ ୧୨,୫୩୨.୮୭ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ ଦକ୍ଷିଣ ପୂର୍ବ ରେଳବାଇର ବଡ଼ବିଲ, ବରସୁଆଁ ଓ କିରିବୁରୁ ରେଳ ଷ୍ଟେସନ ଏବଂ ପୂର୍ବତଟ ରେଳବାଇର ନୟାଗଡ଼ ରେଳ ଷ୍ଟେସନ (କେନ୍ଦୁଝର)କୁ ସଂଯୋଗ କରିବ।
ଗତ ୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍ପିଜି ବୈଠକରେ ଏହି ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା। ଲିଜିଷ୍ଟିକ୍ ଡିପିଆଇଆଇଟିର ସ୍ବତନ୍ତ୍ର ସଚିବ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ତିନିଟି ରେଳବାଇ ଓ ୩ଟି ସଡ଼କ ପ୍ରକଳ୍ପ, ମୋଟ୍ ୬ଟି ପ୍ରକଳ୍ପର ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏହି ଛଅଟି ପ୍ରକଳ୍ପର ବ୍ୟୟଅଟକଳ ୨୮,୮୭୫.୧୬ କୋଟି ରହିଛି। ଓଡ଼ିଶାରେ ଏହି ଦୁଇ ରେଳ ପ୍ରକଳ୍ପ ନିର୍ମାଣ ଦ୍ବାରା ଖଣି ଅଞ୍ଚଳର ଅର୍ଥନୈତିକ ବିକାଶ ଘଟିବ। କାରଣ, ଏହି ପ୍ରକଳ୍ପ ଖଣିଖମାରେ ଭରପୁର ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲା ସମେତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାକୁ ସଂଯୋଗ କରିବ। ଉଲ୍ଲେଖଯୋଗ୍ୟ, ଉକ୍ତ ବୈଠକରେ ଓଡ଼ିଶା-ଆନ୍ଧପ୍ରଦେଶ-ତେଲେଙ୍ଗାନା ସୀମା ଦେଇ ଚଳାଚଳ କରିବାକୁ ଥିବା ମାଲକାନଗିରି-ଭଦ୍ରାଚଲମ ରେଳପଥ(୩୫୯୧.୭୬ କୋଟି) ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହା ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ପାଣ୍ଡୁରଙ୍ଗାପୁରମ୍) ଏବଂ ପୂର୍ବ ତଟ ରେଳପଥ (ଜୁନାଗଡ଼)କୁ ସଂଯୋଗ କରୁଥିବା ଏକ ନୂତନ କରିଡର ଖୋଲିବ। ଏତଦ୍ବ୍ୟତୀତ ଆନ୍ଧ୍ରପ୍ରଦେଶର ଦୂରବର୍ତ୍ତୀ ସାମୁଦ୍ରିକ ବନ୍ଦର ଓ ଦକ୍ଷିଣ ଓଡ଼ିଶାର ଖଣି ତଥା ଶିଳ୍ପାଞ୍ଚଳ ମଧ୍ୟରେ ଦୂରତା ହ୍ରାସ କରିବ। ଏହାସହ ପ୍ରସ୍ତାବିତ ମହାରାଷ୍ଟ୍ରର ବୈଭବୱାଡ଼ି-କୋହ୍ଲାପୁର (୩୪୧୧.୧୭ କୋଟି) ରେଳପଥ ପାଇଁ ଏନ୍ପିଜି ସୁପାରିସ କରିଛି।