ପୋଲସରା : ଓଡ଼ିଶା ମିଲେଟ୍ ମିସନ୍ ଆନୁକୂଲ୍ୟରେ ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ ଯୋଗାଇଆସୁଛନ୍ତି। ସରକାରଙ୍କ ଏହି ପ୍ରୟାସକୁ ବିଶ୍ବ ଖାଦ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ପ୍ୟାରିସ୍ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଖାଦ୍ୟମେଳାରେ ଭାଗ ନେବାକୁ ଗଞ୍ଜାମ ଜିଲ୍ଲାର ଏକମାତ୍ର ମହିଳା ଏସ୍ଏଚ୍ଜି ଭାବେ ପୋଲସରା ବ୍ଲକ୍ ଚିରିକିପଡ଼ା ଗ୍ରାମର ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସୁଯୋଗ ମିଳିଛି। ଉକ୍ତ ମହିଳା ଏସ୍ଏଚ୍ଜି ଦ୍ବାରା ପ୍ରସ୍ତୁତ ବିଭିନ୍ନ ମାଣ୍ଡିଆଜାତ ଖାଦ୍ୟ ଏହି ମେଳାରେ ପ୍ରଦର୍ଶିତ ହେବ। ଏଥିପାଇଁ ସଭାନେତ୍ରୀ ଚନ୍ଦ୍ରମା ସାହୁ ପ୍ୟାରିସ୍ ଅଭିମୁଖେ ବିମାନରେ ଯାତ୍ରା କରିଛନ୍ତି। ଏଥିପାଇଁ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ମିଲେଟ୍ ମିସନ୍ ଅଧୀନରେ ମାଣ୍ଡିଆ ଚାଷର ପ୍ରଚାରପ୍ରସାର ଏବଂ ପ୍ରୋତ୍ସାହନ ପାଇଁ ପୋଲସରା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଣ୍ଡିଆ’କୁ ଦାୟିତ୍ବ ଦିଆଯାଇଛି। ସଂଗଠନର ଡାଇରେକ୍ଟର୍ ଡ.କୁମୁଦଚନ୍ଦ୍ର ବେହେରାଙ୍କ ଉଦ୍ୟମ ବ୍ଲକ୍ର ୧୯ଟି ପଞ୍ଚାୟତ ଅଧୀନ ୭୨ଟି ଗ୍ରାମର ୧୬୦୧ ଜଣ ଚାଷୀ ୭୧୯ ହେକ୍ଟର୍ ଜମିରେ ଜୈବିକ ସାର ପ୍ରୟୋଗ ମାଧ୍ୟମରେ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ରାଇମାଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇଦିଆଯିବା ସହ ମାଣ୍ଡିଆରୁ ଚୁନା, ଲଡ଼ୁ, ସେଓ ଓ ଗାଣ୍ଠିଆ ଆଦି ପ୍ରସ୍ତୁତ କରାଯାଇଛି। ଏସମସ୍ତ ଖାଦ୍ୟ ପ୍ୟାରିସ୍ର ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ।