ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଅପେରା ମଞ୍ଚର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା (୫୯)ଙ୍କ ପରଲୋକ ଘଟିଛି। ପଳାସୁଣି ପ୍ରାଚୀବିହାରସ୍ଥିତ ନିଜ ଘରେ ଶୁକ୍ରବାର ଦିନ ସେ ବେକରେ ଧୋତି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଏହି ଖବର ପ୍ରଚାରିତ ହେବାପରେ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆଜି ସଂଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ରାଇମୋହନଙ୍କ ଏପରି ଅକାଳ ବିୟୋଗ କେବଳ ଓଲିଉଡ୍ ନୁହେଁ, ସାରାରାଜ୍ୟରେ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ସମ୍ମାନ ଓ ପ୍ରସିଦ୍ଧିରେ ବେଶ୍ ଉଚ୍ଚ ସୋପାନକୁ ଯାଇଥିବା ଏହି ବିଶିଷ୍ଟ ଅଭିନେତା ହଠାତ୍ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବେଶ୍ ରହସ୍ୟଜନକ ହୋଇପଡ଼ିଛି। ବହୁବର୍ଷ ହେଲା ରାଇମୋହନ ପ୍ରାଚୀବିହାରରେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ। ତାଙ୍କ ବନ୍ଧୁ ତଥା ପଡ଼ୋଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କାଲିରାତି ଯାଏ ବେଶ୍ ସ୍ବାଭାବିକ ଥିଲେ ରାଇମୋହନ। ସାଧାରଣ ଭାବେ ବାହାରକୁ ଯାଇଥିଲେ ଓ ଘରକୁ ଫେରିଥିଲେ। ଆଜି ସକାଳ ପ୍ରାୟ ୧୦ଟା ଯାଏ ସେ ପରିବାର ସଦସ୍ୟଙ୍କ ସହ ଘରେ ଥିଲେ। ୧୦ଟାରେ ତାଙ୍କ ପତ୍ନୀ ଓ ବଡ଼ଝିଅ କୌଣସି ପାରିବାରିକ କାର୍ଯ୍ୟରେ କଟକ ଯାଇଥିଲେ। ସାନ ଝିଅ କଲେଜ ଯାଇଥିଲେ। ଘରୁ ସମସ୍ତେ ଗଲାପରେ ପ୍ରାୟ ସାଢ଼େ ୧୦ଟା ବେଳକୁ ରାଇମୋହନ ନିଜ ମୋବାଇଲ୍ରୁ ପତ୍ନୀ ଓ ଦୁଇ ଝିଅଙ୍କୁ ‘ବାଏ’ ଲେଖିଥିଲେ। ଏପରି ମେସେଜ୍ ପାଇ ପତ୍ନୀ ଓ ଝିଅଙ୍କ ଚିନ୍ତା ବଢ଼ିଯାଇଥିଲା । ପତ୍ନୀ ଓ ବଡ଼ ଝିଅ ତୁରନ୍ତ ରାଇମୋହନଙ୍କୁ ଫୋନ୍ କରିଥିଲେ। କିନ୍ତୁ କିଛି ଉତ୍ତର ମିଳି ନ ଥିଲା। ଏହାପରେ ସେମାନେ ଡ୍ରାଇଭର୍ଙ୍କୁ ଫୋନ୍ କରି ରାଇମୋହନଙ୍କ ସମ୍ପର୍କରେ ପଚାରିଥିଲେ। ଏହାପରେ ଡ୍ରାଇଭର୍ ଉପର ମହଲାରେ ଥିବା ବେଡ୍ରୁମ୍କୁ ଯିବା ବେଳକୁ ରାଇମୋହନଙ୍କୁ ଝୁଲିବା ଅବସ୍ଥାରେ ଦେଖିଥିଲେ। ତୁରନ୍ତ ସେ ପଡ଼ୋଶୀଙ୍କୁ ଜଣାଇବା ସହ ପତ୍ନୀ ଓ ଝିଅଙ୍କୁ ଖବର ଦେଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ୍ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।
/sambad/media/post_attachments/wp-content/uploads/2022/06/Basa-Bhaban-Samukhare-Jana-Samudra-2-300x200.jpg)
ଏହି ଖବର ଜଣାପଡ଼ିବା ପରେ ରାଇମୋହନଙ୍କ ବାସଭବନ ସମ୍ମୁଖ ଲୋକାରଣ୍ୟ ହୋଇଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଜଗତର ବ୍ୟକ୍ତିମାନେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ଘଟଣାର ପ୍ରାଥମିକ ତଦନ୍ତ କଲାପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ସେଠାରେ ଏପରି ଭିଡ଼ ଜମିଥିଲା ଯେ ଘରୁ ମରଶରୀରକୁ ବାହାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପୁଲିସ ନାକେଦମ୍ ହୋଇଥିଲା। ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ମରଶରୀରକୁ ଡାକ୍ତର ଯାଞ୍ଚ୍ କଲାପରେ ବ୍ୟବଚ୍ଛେଦ ହୋଇଥିଲା। ହସ୍ପିଟାଲ୍ ପରିସରରେ ପ୍ରିୟ ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ମଧ୍ୟ ଭିଡ଼ ଜମିଥିଲା। ଓଲିଉଡ୍ର ଜଣାଶୁଣା କଳାକାରମାନେ ସେଠାରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ବ୍ୟବଚ୍ଛେଦ ପରେ ପୁଲିସ୍ ତାଙ୍କ ମରଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା।
ହସ୍ପିଟାଲ୍ରୁ ରାଇମୋହନଙ୍କ ମରଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ଅଣାଯାଇଥିଲା। ସେଠାରେ ଅଧ୍ୟାପକ, ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ପ୍ରାଚୀବିହାରସ୍ଥିତ ତାଙ୍କ ବାସଭବନକୁ ମରଶରୀର ଅଣାଯାଇଥିଲା। ସେଠାରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟସ୍ବଜନ ଶେଷ ଦର୍ଶନ କରିଥିଲେ। ଏହାପରେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ତାଙ୍କ ମରଶରୀରକୁ ନିଆଯାଇଥିଲା। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନ ଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଥିଲେ।
/sambad/media/post_attachments/wp-content/uploads/2022/06/Bhida-Bhitare-Ambulance-1-300x153.jpg)
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯେଉଁ ହାତଗଣତି କିଛି କଳାକାର ସଫଳତାର ଶୀର୍ଷ ସୋପାନ ଛୁଇଁଛନ୍ତି, ତାଙ୍କ ମଧ୍ୟରେ ରାଇମୋହନ ପରିଡ଼ାଙ୍କ ସ୍ଥାନ ନିଶ୍ଚିତ ରହିବ। କେବଳ ଚଳଚ୍ଚିତ୍ର ନୁହେଁ, ଯାତ୍ରା ଓ ଧାରାବାହିକରେ ମଧ୍ୟ ସେ ଜଣେ ଆଗଧାଡ଼ିର କଳାକାର। ଖଳ ଅଭିନେତା ଭାବେ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ଜଣେ ଭଲ ଓ ମେଳାପୀ ମଣିଷ ଭାବେ ମଧ୍ୟ ସେ ସାଙ୍ଗସାଥୀଙ୍କ ମହଲରେ ପରିଚିତ। ପରଦାରେ ନିଜ ଅଭିନୟରେ ଲୋକଙ୍କୁ ଡରାଉଥିବା ଏହି ଅଭିନେତା ନିଜ ଜୀବନ ସହ ଖେଳିବାକୁ କାହିଁକି ନିଷ୍ପତ୍ତି ନେଲେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଙ୍ଗସାଥୀ, ସହ କଳାକାର, ପଡ଼ୋଶୀ କେହି ମଧ୍ୟ ଏହାକୁ ବିଶ୍ବାସ କରିପାରୁ ନାହାନ୍ତି। ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ କେହି କିଛି କହିପାରୁ ନାହାନ୍ତି। ପରିବାର ସଦସ୍ୟମାନେ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ରାଇମୋହନଙ୍କ ଚକ୍ଷୁ ଦାନ କରାଗଲା
ଯେଉଁ ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ ସେହି ଆଖି ସତେଜ ରହିବ। ସଶରୀରେ ରାଇମୋହନଙ୍କୁ ଆଉ ତାଙ୍କ ପ୍ରଶଂସକମାନେ ଦେଖିବାକୁ ସୁଯୋଗ ପାଇବେ ନାହିଁ ସତ। କିନ୍ତୁ ତାଙ୍କ ଆଖିରେ ଆଉ କେହି ଜଣେ ଦୁନିଆ ଦେଖିବ। ରାଇମୋହନଙ୍କ ଇଚ୍ଛା ଥିଲା ମୃତ୍ୟୁପରେ ତାଙ୍କ ଚକ୍ଷୁକୁ ଦାନ କରିବେ। ତାଙ୍କ ପରିବାର ଲୋକଙ୍କ ସହମତିକ୍ରମେ ଆଜି କ୍ୟାପିଟାଲ୍ ହସ୍ପିଟାଲ୍ରେ ଚକ୍ଷୁଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Rai-1.jpg)