ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ତିନିଦିନ ହେଲା ପାଗ କୋହଲା ରହିଛି। ଆଜି ଝିପିଝିପି ବର୍ଷା ଲାଗି ରହିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଚାଷୀମାନେ ମଣ୍ଡିରେ ଧାନ ଗଦା କରିଥିଲେ ମଧ୍ୟ ବିକ୍ରି କରିପାରି ନାହାନ୍ତି।

Advertisment

ଗତ ୨୨ ଓ ୨୩ ତାରିଖରେ ତେଲକୋଇ ଅଞ୍ଚଳରେ ପାଗ କୋହଲା ରହିଥିଲା। ଗତକାଲି ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟା ସୁଦ୍ଧା ତେଲକୋଇରେ ୫.୦୨ ମିମି ବର୍ଷା ରେକର୍ଡ କରାଯାଇଛି। ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ହୋଇଛି। ଫଳରେ ଲୋକେ ଘରୁ ବାହାରି ପାରିନାହାନ୍ତି। ଅନ୍ୟପକ୍ଷରେ ଆଜି ଶିରିଗିଡ଼ା ଲ୍ୟାମ୍ପସ ଅଧୀନ ଦେଉଳଡିହା ମଣ୍ଡିରେ ଧାନକିଣା ବାରି ରହିଥିଲା। ଟୋକନ ପାଇଥିବା ଚାଷୀମାନେ ପ୍ରତିକୂଳ ପାଗ ସତ୍ତ୍ଵେ ଧାନ ଆଣି ମଣ୍ଡିରେ ପହଞ୍ଚିଇଥିଲେ। ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଧାନକିଣା ସମ୍ଭବ ହୋଇନଥିଲା। ଚାଷୀମାନେ ଧାନବସ୍ତାକୁ ପାଲ ଘୋଡ଼ାଇ ରାତିସାରା ଜଗି ବସିଛନ୍ତି। ଜେନାଦର ବୁଟିସାହିର ଗୌର କିସାନ, ଦେଉଳଡିହା ଗ୍ରାମର ଗିରିଶ କୁମାର ପ୍ରଧାନ, ଅଖିଳ ପ୍ରଧାନ, ପଦ୍ମଚରଣ ସାହୁଙ୍କ ସମେତ ୧୮ରୁ ଊର୍ଦ୍ଧ୍ୱ ଚାଷୀ ମଣ୍ଡିରେ ଧାନ ରଖିଥିବା ଜଣାପଡ଼ିଛି। ଅସୁରକ୍ଷିତ ଗୋଦାମ ଗୃହ ଏବଂ ମିଲର ଗାଡ଼ି ନ ପଠାଇବାରୁ ଧାନକିଣା ସମ୍ଭବ ହୋଇପାରି ନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତେଲକୋଇ ମଣ୍ଡିରେ ବର୍ଷା ଛାଡ଼ିବା ପରେ ଚାଷୀଙ୍କ ଧାନ କିଣାଯାଇଥିବା ଲ୍ୟାମ୍ପସ ପରିଚାଳକ କେଶବ ଚନ୍ଦ୍ର ସାହୁ କହିଛନ୍ତି। ତେବେ ଦେଉଳଡିହାରେ କାହିଁକି ଧାନ କିଣିବାରେ କର୍ତ୍ତୃପକ୍ଷ ସହଯୋଗ କଲେ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଶିରିଗିଡା ଲ୍ୟାମ୍ପସ ପରିଚାଳକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।