ବର୍ଷା ପାଇଁ ୨୮ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି, ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ : ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଗତ କିଛି ଦିନ ହେଲାଣି ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି କାରଣରୁ ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି। ତେବେ ବର୍ଷାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି । କମ ସମୟରେ ଏତେ ବର୍ଷା ହୋଇଥିବାରୁ ନଦୀରେ ବନ୍ୟା ନଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ଭୁବନେଶ୍ୱର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି ।

ତେବେ ବର୍ଷାକୁ ଆଖି ଆଗରେ ରଖି ସେ ୨୮ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଅଳ୍ପ କିଛି ଜାଗାରେ ଘର ଭାଙ୍ଗିବା ସହ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷା ପାଇଁ ଚାଷ ଜମିର ହୋଇଥିବା କ୍ଷୟ‌କ୍ଷତିର ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲିପାରେ । କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ଆମର ବନ୍ୟା ସ୍ଥିତି ଉପଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବାକୁ ହେବ। ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର