ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୮ଟି ଜିଲ୍ଲାରେ ହୋଇପାରେ କାଳବୈଶାଖି ବର୍ଷା

ଭୁବନେଶ୍ବର : ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସ୍ବତନ୍ତ୍ର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଶୁକ୍ରବାର ସକାଳ ୮ଟା ୩୦ରୁ ଶନିବାର ୮ଟା ୩୦ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲା ଯଥା ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ,ମୟୁରଭଞ୍ଜ ଓ ବୌଦ୍ଧରେ  ବଜ୍ରପାତ ସହ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଶନିବାର ସକାଳ ୮ଟା ୩୦ରୁ ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ,ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ବା ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ବାରିପଦା, ମାଲକାନଗିରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଓ ଫୁଲବାଣୀରେ ସର୍ବନିମ୍ନ ୧୭.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର