ଭୁବନେଶ୍ୱର: ଲଘୁଚାପ ପାଇଁ ହୋଇଥିବା ଲଗାଣ ବର୍ଷା ଓଡ଼ିଶାର ଚାଷବାସ ଉଜାଡି ଦେଇଛି । ଏବେ ବି ଅନେକ ଅଞ୍ଚଳର ଚାଷ ଜମି ପାଣି ଘେରରେ ରହିଛି । ଏଇ ନିକଟରେ ଏକ ବଡ ବର୍ଷାକୁ ସାମ୍ନା କରିଥିବା ଓଡିଶା ଆଗକୁ ପୁଣି ମଧ୍ୟମରୁ ପ୍ରବଳ ବର୍ଷାରେ ଭିଜିପାରେ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ, ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଛି ସିରିଜ ବା ଲଗାତାର ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୦ ଦିନ ଯାଏଁ ବର୍ଷା ହେବ ।
ଲଘୁଚାପ ବର୍ଷାରେ ବେହାଲ ହୋଇଥିବା ଓଡ଼ିଶା ପୁଣି ଥରେ ବର୍ଷାରେ ଭିଜିବ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି ଯେ, ବଙ୍ଗୋପସାଗରରେ ସିରିଜ ବା ପଛକୁ ପଛ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିବ ।ଦକ୍ଷିଣ ଚୀନ ସାଗରରୁ ସିରିଜ ଘୂର୍ଣ୍ଣିବଳୟ ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି ।
୧- ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ରହିଛି । ଏହାର ପ୍ରଭାବରେ ରବିବାରଠାରୁ ସେପ୍ଟେମ୍ବର ୨୩ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
୨- ସେପ୍ଟେମ୍ବର ୨୦, ୨୧ ଓ ୨୨ରେ ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ସମ୍ବଲପୁର ଅଞ୍ଚଳରେ ବର୍ଷା ହେବ ।
୩- ଦକ୍ଷିଣ ଚୀନ ସାଗରରୁ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ବର ୨୫ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ୨୬ ତାରିଖରେ ଅବପାତର ରୂପ ନେବ ।
୪- ୨୬ ଓ ୨୭ ତାରିଖରେ ଏହାର ପ୍ରଭାବ ଉପକୂଳ, ଉତ୍ତର ଓଡିଶା ଓ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖିବାକୁ ମିଳିବ ।
୫- ସେପ୍ଟେମ୍ବର ୨୬ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେପ୍ଟେମ୍ବର ୨୮ ତାରିଖରେ ଏହା ଲଘୁଚାପର ରୂପ ନେବ ।
୬- ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ଯାଏଁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଏହା ଅବପାତର ରୂପ ନେଇ ବାଲେଶ୍ୱର ଦେଇ ଗତି କରିବ । ଏହାର ପ୍ରଭାବରେ ବନ୍ୟାର ମଧ୍ୟ ଆଶଙ୍କା ରହିଛି ।