ବର୍ଷା ଭୟ : ୧୭ ଜିଲ୍ଲା ପାଇଁ ସତର୍କ ସୂଚନା, ୩୬ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ସଙ୍ଗିନ୍‌ ପ୍ରଭାବ ଓଡ଼ିଶା ଉପରେ ପ଼ଡିଲାଣି। ପଶ୍ଚିମବଙ୍ଗକୁ ଲାଗି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଏହି ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ବ୍ୟତୀତ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ମାତ୍ରା ଅଧିକ ରହିବ। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲା ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇପାରନ୍ତି। ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଏକଥା ବି କହୁଛି, ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହାର ପ୍ରଭାବ ସେତେଟା ରହିବ ନାହିଁ।

ଅନ୍ୟପକ୍ଷରେ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ସତର୍କ କରାଇଛି। ସରକାର ଜଣାଇଛନ୍ତି, ୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ବୋହିବ। ବେଳେବେଳେ ପବନର ବେଗ ୫୫ କିମି ଛୁଇଁପାରେ। ଏଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବେ ନାହିଁ।

ସୋମବାର ସକାଳ ୧୦ଟା ପର୍ଯ୍ୟନ୍ତ ବାଲେଶ୍ୱର, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହାପରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ, ବରଗଡ଼, କଟକ, ନୟାଗଡ଼, ଖୋର୍ଦ୍ଧର୍ା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ବଜ୍ରପାତର ଭୟ ବି ରହିଛି। ଏଥିପାଇଁ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ୬ଟି ଜିଲ୍ଲାରେ ୧୦ ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅପରାହ୍ନ ୫ଟା ସୁଦ୍ଧା କେନ୍ଦୁଝରରେ ୨୨ ମିମି ବର୍ଷା ହୋଇଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱରରେ ୩୦ ମିମିରୁ ଅଧିକ ବର୍ଷା ହୋଇଛି। କଟକ, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତ୍‌ସିଂହପୁର, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳରେ ବର୍ଷା ଲାଗିରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର