ବଢ଼ୁଛି କାଳବୈଶାଖୀ ସମ୍ଭାବନା : ଆଜି ୭ ଜିଲ୍ଲାରେ ହୋଇପାରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ‌ହୋଇଛି। ଗତକାଲି ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା। ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆସନ୍ତାକାଲି ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏନେଇ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ‌ହୋଇଛି।

ଅନ୍ୟପକ୍ଷେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ସପ୍ତାହରେ ଓଡ଼ିଶା ସମେତ ଉତ୍ତର ଭାରତରେ ତାପମାତ୍ରା ବଢ଼ିବା ପରିବର୍ତ୍ତେ କମିଛି। ପଶ୍ଚିମା ପବନ ସହ ବାୟୁ ଦିଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଅନୁମାନ କରାଯାଉଛି କି, ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ। ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବଢ଼ିବ। ତେବେ ୧୫ ତାରିଖରୁ ରାଜ୍ୟର ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଭୁବନେଶ୍ବର ତାପମାତ୍ରା ୧୬ ତାରିଖ ସୁଦ୍ଧା ୪୦ ଡିଗ୍ରି ପାଖାପାଖି ହେବାର ସମ୍ଭାବନା ରହିଛି।

ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ବିଶେଷ କରି ଉତ୍ତର ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ଅଧିକ ରହିଛି। ଆକଳନ କରାଯାଉଛି କି, ଆସନ୍ତାକାଲି ଅର୍ଥାତ ୧୨ ତାରିଖ ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ସମେତ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ ୧୩ ତାରିଖରେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି। ତେବେ ୧୮ ତାରିଖରୁ କାଳବୈଶାଖୀ ସମ୍ଭାବନା ବଢ଼ିବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର