ଭୁବନେଶ୍ବର: ବାତ୍ୟା ପ୍ରଭାବରୁ ଗତ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । ତେବେ ୮ଟି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗର ସଂଧ୍ୟାକାଳୀନ ବୁଲେଟିନ ଅନୁସାରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମଧ୍ୟାହ୍ନ ପରେ ଏସବୁ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ ଶୁଖିଲା ପାଗ ରହିବ । ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲକା କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ବୁଲେଟିନରେ ଆହୁରି ମଧ୍ୟ କୁହାଯାଇଛି ଆସନ୍ତା ୯ ତାରିଖ ପରେ ସମଗ୍ର ରାଜ୍ୟରେ ଶୁଖିଲା ପାଗ ରହିବ ।
ଅନ୍ୟପକ୍ଷରେ ଆସନ୍ତା ୨-୩ ଦିନ ପରେ ରାଜ୍ୟରେ ଶୀତ ବଢିବ । ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।