ତାତି ସାଙ୍ଗକୁ କୁହୁଡ଼ି : ୨୫ରେ ବର୍ଷା, ଆଲର୍ଟ ଜାରି

ଭୁବନେଶ୍ବର : ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା ମାଲକାନଗିରିରୁ ତାଳଚେର। ଏବେଠାରୁ ଅସହ୍ୟ ହେଲାଣି ତାତି। ଫେବ୍ରୁଆରି ମାସରେ ସବୁଠି ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଛି। ଏପର୍ଯ୍ୟନ୍ତ ଶୀତ ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ତାପମାତ୍ରା ବୃଦ୍ଧିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଲୋକେ। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରହିଥିଲା। ଭୁବନେଶ୍ବର ତାପମାତ୍ରା ବି ରେକର୍ଡ ଭାଙ୍ଗିଛି। ଏଠାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ ହୋଇଛି। ଏହି ଦୁଇ ସହର ବ୍ୟତୀତ ଅନ୍ୟ ୧୪ଟି ସହରର ତାପମାତ୍ରା ଆଜି ୩୩ ଡିଗ୍ରି ଉପ‌ରେ ରହିଥିଲା। ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପକ୍ଷରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଫଳରେ ୨୪ ଓ ୨୫ ତାରିଖରେ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୩୦ କିମି ବେଗରେ ପବନ ବୋହିବ। ଏଥିପ୍ରତି ସତର୍କ ରହିବାକୁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ସେପଟେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗିରହିଛି। ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ବର, କେନ୍ଦୁଝର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାରେ ଆଜି କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୁହୁଡିର ଆସ୍ତରଣ ଏତେ ରହିଥିଲା ଯେ ୧୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ କଷ୍ଟକର ହୋଇପଡ଼ିଥିଲା। ଶୁକ୍ରବାର ମଧ୍ୟ ସମାନ ସ୍ଥିତି ଲାଗିରହିବ। ତେଣୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର