ବଲାଙ୍ଗୀର/କଣ୍ଟାମାଲ: ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍ନରେ ପ୍ରବଳ ଝଡ଼ ତୋଫାନ ହୋଇଥିବା ସୂଚନା ମିଳିଛି। ଝଡ଼ ତୋଫାନ ଯୋଗୁଁ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଲୋକେ ପ୍ରଭାବିତ ହୋଇଛନ୍ତି। ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଗ୍ରାମରେ ବାଉଁଶ ବୁଦା ଉପୁଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ନାମ ସୂର୍ଯ୍ୟକାନ୍ତି ମହାକୁର। ଆହତଙ୍କ ନାମ ଗୋପେଶ୍ୱରୀ ସାହୁ (୩୩), ବୃଷଭ ମହାକୁର (୬୨), ନୁରାବତୀ ସାହୁ ଓ ଉଦ୍ଧବ ବାରିକ (୪୦)। ସେହିପରି ବିଶାଳପାଲି ଗାଁରେ ମଧ୍ୟ ଝଡ଼ ଯୋଗୁଁ ୨ ଜଣ ଲୋକ ଗୁରୁତର ହୋଇଛନ୍ତି।

Advertisment

publive-image

ଆଗଲପୁର ଅଞ୍ଚଳରେ ମଧ୍ୟ ଆଜି ଅପରାହ୍ନ ୪ଟାରେ ପ୍ରବଳ ଝଡ଼ ତୋଫାନ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଠାରୁ ବରଗଡ଼ ସଂଯୋଗ କରୁଥିବା ରାଜପଥର ରୁଗୁଡ଼ିଖାଲ ଛକ ନିକଟରେ ଏକ ବିଶାଳ ଗଛ ଉପୁଡ଼ି ପଡ଼ିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗମନାଗମନ ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ କୁଆପଥର ମାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଅନେକ ଲୋକ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଅଚାନକ କୁଆପଥର ମାଡ଼ ହୋଇଥିଲା। ବାଦିବାହାଲ ଗାଁରେ ଘର କାନ୍ଥ ଭୁଶୁଡ଼ିପଡ଼ିଛି। ଝଡ଼ ସହ କୁଆପଥର ମାଡ଼ ପରେ ପ୍ରବଳ ବର୍ଷା ଯୋଗୁଁ ପନିପରିବା ଚାଷ ଉଜୁଡ଼ିଯାଇଛି।

publive-image

ଆଜି ଅପରାହ୍ନ ପ୍ରାୟ ୪ରେ କଣ୍ଟାମାଲ ବ୍ଲକ ଅଂଚଳରେ ପ୍ରବଳ ଝଡ ବର୍ଷା ହୋଇଛି। ଖଟଖଟିଆ ପଞ୍ଚାୟତ ରେଙ୍ଗାଲି ଗ୍ରାମର ପ୍ରମୋଦ ବାରିକଙ୍କ ଗୁହାଳ କାନ୍ଥ ଭାଙ୍ଗି ଯିବାରୁ ୧୦ଟି ମେଣ୍ଢା ଓ ଛେଳି ଏବଂ ୧୦ଟି ବତକଙ୍କ ମୃତ୍ୟୁ ହୋଇଯାଇଛି। ସେହିଭଳି ଝଡ଼ରେ ୨୦ରୁ ଅଧିକ ମେଣ୍ଢା ଗୁରୁତର ହୋଇଛନ୍ତି। ସୋନପୁର, ବିନିକା ଓ ବୀରମହରାଜପୁର ଅଞ୍ଚଳରେ ମଧ୍ୟ ଆଜି ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି।