ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରାତି ୮ଟା ଯାଏ ବର୍ଷା ସହ ପବନ ବହିବ : ଆଇଏମଡି ଡିଜି

ନୂଆଦିଲ୍ଲୀ: ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଆଜି ଅପରାହ୍ଣରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏବେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗକୁ ଅତିକ୍ରମ କରୁଛି। ତେବେ, ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ଅମ୍ଫାନ ପ୍ରଭାବରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷାର ପ୍ରକୋପ କମିବା ସହ ପବନର ବେଗ ମଧ୍ୟ କମିଛି। ତେବେ, ଏହାର ଅର୍ଥ ନୁହେଁ ଯେ ବାତ୍ୟା ସଂପୂର୍ଣ୍ଣ ରୂପେ ଚାଲିଗଲା ଓ ବିପଦ ସଂପୂର୍ଣ୍ଣ ରୂପେ ଟଳିଗଲା। କାରଣ, ରାତି ୮ଟା ପର୍ଯ୍ୟନ୍ତ ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ସହ ପବନ ଜାରି ରହିବ। ତେବେ, ପବନର ବେଗ କମିବ ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ଝଟକାର ବେଗ ୫୫କିମି ରହିବ। ତେଣୁ, ରାତି ୮ଟା ପରେ ଯାଇ ଓଡ଼ିଶା ଉପକୂଳ ଉପରୁ ବାତ୍ୟାର ବିପଦ ଟଳିବ ବୋଲି ସତର୍କ କରାଇ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଆଜି ଅପରାହ୍ଣରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନକୁ ନେଇ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ଓ ଅମ୍ଫାନକୁ ସଂପର୍କରେ ଯେଉଁ ସତର୍କ ଜାରି କରିଥିଲା ତାହା ଶତ ପ୍ରତିଶତ ଠିକ୍‌ ହୋଇଛି। ଅମ୍ଫାନର ଗତିନେଇ ଭାରତୀୟ ପାଣିପାଗ ବିଭାଗର ଯେଉଁ ଆକଳନ ରହିଥିଲା ଠିକ୍‌ ସେହି ଗତିପଥରେ ହିଁ ଅମ୍ଫାନ୍‌ ଗତି କରିଛି।

ଅମ୍ଫାନର ଲ୍ୟାଣ୍ଡଫଲ ପ୍ର୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଦୀର୍ଘ ୪ ଘଣ୍ଟା ଧରି ଚାଲିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ଏସଂପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ସାମୁଦ୍ରିକ ବାତ୍ୟାର ସମୁଦ୍ରରୁ ସ୍ଥଳଭାଗକୁ ଅତିକ୍ରମ କରିବାର ପ୍ରକ୍ରିୟାକୁ ଲ୍ୟାଣ୍ଡଫଲ କହୁଯାଏ। ବାତ୍ୟା ଏକ ଗୋଲାକାର ବୃତ୍ତ ସଦୃଶ ହୋଇଥାଏ। ଏବଂ ଏହାର ପରିଧି କିଲୋମିଟର କିଲୋମିଟର ବ୍ୟାପି ରହିଥାଏ। ଆଉ ମଝିରେ ଥାଏ ବାତ୍ୟାର ଆଖି ବା ‘ଆଇ’। ବାତ୍ୟା ଅମ୍ଫାନର ପରିଧି ୧୨୦ କିମି ଥିବା ବେଳେ ଏହାର ‘ଆଇ’ ଥିଲା ୩୦ କିମି। ପ୍ରଥମେ ବାତ୍ୟାର ବାହ୍ୟ ପ୍ରାଚୀର ଯେତେବେଳେ ସମୁଦ୍ରରୁ ସ୍ଥଳଭାଗକୁ ପ୍ରବେଶ କରେ ସେତେବେଳେ ବାତ୍ୟା ଅତିକ୍ରମ କରୁଥିବା ସ୍ଥାନରେ ପ୍ରବଳ ପବନ ସହ ବର୍ଷା ହୋଇଥାଏ। ତେବେ, ‘ଆଇ’ ବା ଆଖି ଯେତେବେଳେ ଅତିକ୍ରମ କରେ ସେତେବେଳେ ସବୁକିଛି ନିରବ ଓ ନିସ୍ତବ୍ଧ ହୋଇଯାଏ। ପୁଣି ଯେତେବେଳେ ବାତ୍ୟାର ପଛ ଭାଗ ବା ପ୍ରାଚୀର ସମୁଦ୍ରରୁ ସ୍ଥଳଭାଗକୁ ପ୍ରବେଶ କରେ ସେତେବେଳେ ଆଉଥରେ ବାତ୍ୟା ଅତିକ୍ରମ କରୁଥିବା ସ୍ଥାନରେ ପ୍ରବଳ ପବନ ସହ ବର୍ଷା ହୋଇଥାଏ। ଯାହାକୁ ଝଡ଼ ଲେଉଟିଲା ବୋଲି କୁଯାଯାଏ। ତେଣୁ, ଅମ୍ଫାନର ଏବେ ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଥିବା କାରଣରୁ ପୂରା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ୪ଘଣ୍ଟାର ସମୟ୍ର ଲାଗିବ। ସେଥିପାଇଁ, ରାଜ୍ୟର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରାତି ୮ଟା ପର୍ଯ୍ୟନ୍ତ ବର୍ଷା ସହ ପବନ ଅବ୍ୟାହତ ରହିବ ବୋଲି ସତର୍କ କରାଇ ଦେଇଛନ୍ତି ଆଇଏମଡି ଡିଜି ଶ୍ରୀ ମହାପାତ୍ର।

ସମ୍ବନ୍ଧିତ ଖବର