ବର୍ଷା ଆସିଲା, ସରିଲାନି ଡ୍ରେନ୍‌ ସଫେଇ; ବାକି ପଡିଛି ୫୦% କାମ

୩୩ ୱାର୍ଡରେ ରହିଛି ୧୩୩ ପ୍ରମୁଖ ଡ୍ରେନ୍‌, ଖର୍ଚ୍ଚ ହେଉଛି ପ୍ରାୟ ୩୦ ଲକ୍ଷରୁ ଅଧିକ

ରାଉରକେଲା : ରାଜ୍ୟକୁ ଛୁଇଁ ସାରିଛି ମୌସୁମୀ ବର୍ଷା। ଡ୍ରେନ୍‌ ସଫେଇ ଅଭାବରୁ ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ସହର ତଳି ଅଞ୍ଚଳ। ତଥାପି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଚେତା ପଶୁନି। ବର୍ଷା‌ ଆସିବା ପୂର୍ବରୁ ଡ୍ରେନ୍‌ ସଫେଇ ଓ ମରାମତି କାମ ସାରିବା କଥା। ବିଡମ୍ବନା, ଏଯାଏଁ ମାତ୍ର ୫୦% କାମ ସରିଛି। ଆହୁରି ୫୦% ସଫେଇ କାମ ବାକି ରହିଛି। ଏହି କାମ ସାରିବାକୁ ଦୁଇ ସପ୍ତାହ କିମ୍ବା ଏହା ଠାରୁ ଅଧିକ ସମୟ ଲାଗି ପାରେ। ସଫେଇ ଦାୟିତ୍ବରେ ଥିବା ଆର୍‌ଏସ୍‌ସିର ବିଜୟ କୁମାର ଦାସ କହିଛନ୍ତି ଡ୍ରେନ୍‌ ସଫେଇ କାମ ଜୋର୍‌ସୋର୍‌ ଚାଲିଛି। କରୋନା ପାଇଁ ସାମାନ୍ୟ ବିଳମ୍ବ ହୋଇଛି। ଯେତିକି କାମ ବାକି ଅଛି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ ରଖିଛୁ। ତେବେ ବିଭାଗୀୟ ଅଧିକାରୀ କହିବାନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିଲେ, ସ୍ମାର୍ଟସିଟି ବାସିନ୍ଦାଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଦଶା ଭୋଗିବାକୁ ପଡିବ।

ଅସଜଡା ଡ୍ରେନ୍‌, ସଫେଇ କାମକୁ ନେଇ ଚିନ୍ତାରେ ରହୁଛନ୍ତି ଉଭୟ କଲୋନି ଓ ବସ୍ତିବାସିନ୍ଦା। ନିର୍ଦ୍ଧାରିତ ସମୟ ପୂର୍ବରୁ ସଫେଇ ଓ ମରାମତି କାମ ସରି ନଥିବାରୁ ସହର ତଳି ଅଞ୍ଚଳ ବସବାସ କରୁଥିବା କଲୋନି ଓ ବସ୍ତିବାସିନ୍ଦାଙ୍କ ଘାରିଲାଣି କୃତିମ ବନ୍ୟା ଚିନ୍ତା। ସ୍ବରେଜ ବୋର୍ଡର ଅଧପନ୍ତରିଆ କାମ ଯୋଗୁଁ ସହରତଳି ବସ୍ତି, କଲୋନିରେ ବର୍ଷା ପାଣି ବସିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଅନେକ ଛୋଟ ଛୋଟ ଡ୍ରେନ୍‌ ମାସ ମାସ ଧରି ସଫେଇ ହେଉ ନଥିବାରୁ ଅସରାଏ ବର୍ଷା ହେଲେ ପାଣି ନିଷ୍କାସନ ନହୋଇ କୃତିମ ବନ୍ୟା ସୃଷ୍ଟି ହେଉଛି। ସେପଟେ କେତେକ ସ୍ଥାନରେ ଡ୍ରେନ୍‌ ମରାମତି କାମ ନିମ୍ନମାନ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସହରର ସ୍ବରେଜ ବ୍ୟବସ୍ଥାର ଏସବୁ ସ୍ଥିତିକୁ ଦେଖିବାକୁ ଗଲେ ଗତ ବର୍ଷ ପରି ଚଳିତ ବର୍ଷ ସ୍ମାର୍ଟସିଟିବାସିନ୍ଦାଙ୍କୁ ସମଦଶା ଭୋଗିବା ଏକ ପ୍ରକାର ନିଶ୍ଚିତ।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ୩୩ ୱାର୍ଡରେ ମୋଟ ୧୩୩ ପ୍ରମୁଖ ଡ୍ରେନ୍‌ ରହିଛି। ଏଥିସହ କଲୋନି ଓ ବସ୍ତିରେ ରହିଛି ‌ଶହ ଶହ ଛୋଟ ଡ୍ରେନ୍‌। ଆର୍‌ଏମ୍‌ସି ୱାର୍ଡ ନଂ ୧ରେ ୭ଟି, ୨ ନଂ ୱାର୍ଡରେ ୪ଟି, ୩ନଂ ୱାର୍ଡରେ ୫ଟି, ୪ନଂ ୱାର୍ଡରେ ୮ଟି, ୫ ନଂ ୱାର୍ଡରେ ୩ଟି, ୬ ନଂ ୱାର୍ଡରେ ୫ଟି, ୭ ନଂ ୱାର୍ଡରେ ୬ଟି, ୮ ନଂ ୱାର୍ଡରେ ୩ଟି, ୯ନଂ ୱାର୍ଡରେ ୮ଟି, ୧୦ ନଂ ୱାର୍ଡରେ ୨ଟି, ୧୧ ନଂ ୱାର୍ଡରେ ୪ଟି, ୧୨ ନଂ ୱାର୍ଡରେ ୨ଟି, ୧୩ନଂ ୱାର୍ଡରେ ୭ଟି ,୧୪ ନଂ ୱାର୍ଡରେ ୪ଟି, ୧୫ ନଂ ୱାର୍ଡରେ ୪ଟି, ୧୬ ନଂ ୱାର୍ଡରେ ୨ଟି, ୧୭ ନଂ ୱାର୍ଡରେ ୨ଟି ପ୍ରମୁଖ ଡ୍ରେନ୍‌ ରହିଛି। ଅନୁରୂପ ଭାବେ ୧୮ ନଂ ୱାର୍ଡରେ ୨ଟି, ୧୯ ନଂ ୱାର୍ଡରେ ୩ଟି, ୨୦ନଂ ୱାର୍ଡରେ ୩ଟି, ୨୧ ନଂ ୱାର୍ଡରେ ୩ଟି, ୨୨ନଂ ୱାର୍ଡରେ ୩ଟି, ୨୩ନଂ ୱାର୍ଡରେ ୪ଟି, ୨୪ନଂ ୱାର୍ଡରେ ୩ଟି, ୨୫ନଂ ୱାର୍ଡରେ ୩ଟି, ୨୬ ନଂ ୱାର୍ଡରେ ୨ଟି, ୨୭ ନଂ ୱାର୍ଡରେ ଗୋଟିଏ , ୨୮ନଂ ୱାର୍ଡରେ ୩ଟି, ୨୯ନଂ ୱାର୍ଡରେ ୨ଟି, ୩୦ ନଂ ୱାର୍ଡରେ ୩ଟି, ୩୧ ନଂ ୱାର୍ଡରେ ୪ଟି, ୩୨ ନଂ ୱାର୍ଡରେ ୪ଟି, ୩୩ ନଂ ୱାର୍ଡରେ ଗୋଟିଏ ପ୍ରମୁଖ ଡ୍ରେନ୍‌ ରହିଛି।

ଚଳିତ ବର୍ଷ ସଫେଇ ବାବଦରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଡ୍ରେନ ମରାମତି ଓ ନିର୍ମାଣ ବାବଦରେ ଏହାର ତିନି ଗୁଣା ଅର୍ଥ ବ୍ୟୟ କରାଯାଉଛି। ଅଧିକାଂଶ ୱାର୍ଡର ଗୁଡ଼ିକର ଛୋଟ, ବଡ, ପ୍ରମୁଖ ଡ୍ରେନ୍‌ ସେଫଇ ଅଭାବରୁ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ସହରର ମାଲଗୋଦାମ କାଳୀ ମନ୍ଦିର, ବାସନ୍ତିକଲୋନି ବିହାର ସାଂସ୍କୃତିକ ପରିଷଦ, କଳିଙ୍ଗ ବିହାର ହନୁମାନ ମନ୍ଦିର ଏମିତି ୪୦ଟି ପ୍ରମୁଖ ଡ୍ରେନ ରହିଛି। ଏଥିରୁ ଅଧିକାଂଶ ପ୍ରମୁଖ ଡ୍ରେନ୍‌ର ସେହି ସମାନ ଅବସ୍ଥା। କେଉଁଠି ମରାମତି ଚାଲିଛି ତ ପୁଣି କେଉଁଠି ସଫେଇ ଅଭାବରୁ ସେମିତି ଅଳିଆ ଆବର୍ଜନା ପୂର୍ଣ୍ଣ ରହିଛି। ବେଶି ଚିନ୍ତା ବଢ଼ାଇଛି କେତେକ ୱାର୍ଡର ପ୍ରମୁଖ କଲୋନୀରେ ଚାଲିଥିବା ଡ୍ରେନ ନିର୍ମାଣ କାମ। ଠିକା ସଂସ୍ଥାଗୁଡ଼ିକ ପକ୍ଷରୁ ଚାଲିଥିବା ନିର୍ମାଣ ସରି ନାର୍ହି। କେବେ ସରିବ କାହା ପାଖରେ ଉତ୍ତର ନାହିଁ। ପ୍ରତି ବର୍ଷ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ତଳିଆ ଅଞ୍ଚଳ ବାସିନ୍ଦାଙ୍କ ଦୁଃଖ ହଟୁନି। ଏଥିପ୍ରତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର