ଆଉ ୨୪ ଘଣ୍ଟା ପ୍ରବଳ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଘୂର୍ଣ୍ଣିବଳୟ ଯୋଗୁଁ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହେଉଛି। ଦିନତମାମ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ବି ପ୍ରଭାବିତ ହେଉଛି। କେଉଁଠି ସହର ଭିତରେ ବର୍ଷା ଜଳ ଢେଉ ଖେଳୁଛି ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି। ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ସ୍ଥିତି ରହିବ। ବୁଧବାର ରାତି ମଧ୍ୟରେ ଉପକୂଳ ଓଡ଼ିଶା ଯଥା ମୟୂରଭଞ୍ଜ, ବାଲେଶ୍ବର, କଟକ, ଖୋର୍ଧା, ପୁରୀ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥା‌ନେ ଘଡ଼ଘଡ଼ି ସହ ବର୍ଷା ହେବ। ସମ୍ଭାବ୍ୟ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉକ୍ତ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଗଜପତି, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଆହୁରି କୁହାଯାଇଛି ଯେ ଘୂର୍ଣ୍ଣିବଳୟ ଆନ୍ଧ୍ର ମୁହାଁ ହେଉଥିବାରୁ ଗୁରୁବାର ସକାଳଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା କମିବ। ତେବେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କାଁ ଭାଁ ବର୍ଷା ଲାଗିରହିବ। ବିଶେଷକରି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ୟେଲୋ ୱାନିଂ ଜାରି ହୋଇଛି। ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ‌କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ପୁରୀ ଏବଂ ୨୮ ଓ ୨୯ ତାରିଖରେ କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଧା, କଟକ, ପୁରୀ, ସୁନ୍ଦରଗଡ଼, ଦେବଗଡ଼ ଓ ମୟୁରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭା‌ରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ସକ୍ରିୟ ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, ପୁଡୁଚେରି, କାରାଇକେଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୫ ତାରିଖରେ କେରଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ୨୬ ତାରିଖରେ କୋଙ୍କଣ ଓ ଗୋଆରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ମୌସୁମୀ ଏବେ ସକ୍ରିୟ ରହିଛି। ଯେଉଁଥିପାଇଁ ବର୍ଷା ଲାଗିରହିବ। ଚଳିତବର୍ଷ ମୌସୁମୀ ପ୍ରାୟ ୮ରୁ ୧୦ ଦିନ ବିଳମ୍ବରେ ବିଳମ୍ବରେ କେରଳ ଛୁଇଁଥିଲା। ସାରା ଦେଶକୁ ମୌସୁମୀ ସ୍ପର୍ଶ କରିବାରେ ବି ବିଳମ୍ବ ହୋଇଥିଲା। ତେଣୁ ଏଥର ଅଧିକ ସମୟ ଧରି ସକ୍ରିୟ ରହିଛି। ନ ହେଲେ ପ୍ରତିବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ମୌସୁମୀ ଦୁର୍ବଳ ହୋଇଯିବା କଥା। ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ବାରମ୍ବାର ‌ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ମୌସୁମୀକୁ ସକ୍ରିୟ କରୁଛି। ବର୍ଷା ଲାଗିରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହ ପରେ ପାଗରେ ପରିବର୍ତନ ଆସିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୬୩.୬ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଭୁବନେଶ୍ବରରେ ୫୮.୨, ଗୋପାଳପୁରରେ ୫୫.୪, ବାଲେଶ୍ବରରେ ୪୮.୫, କଟକରେ ୪୩.୮, ‌କେନ୍ଦୁଝରରେ ୩୧.୫, ଝାରସୁଗୁଡ଼ାରେ ୩୦.୪, ଫୁଲବାଣୀରେ ୨୯.୮, ପାରାଦୀପରେ ୨୯, ହୀରାକୁଦରେ ୨୭.୫, କୋରାପୁଟରେ ୨୬, ବାରିପଦାରେ ୨୬ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର