୨୪ ଘଣ୍ଟା ଯାଏ ବର୍ଷା

ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସାଙ୍ଗକୁ ଓଡ଼ିଶା ଉପରେ ଏକ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୪୦ରୁ ୬୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେବେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୯ତାରିଖ ମଧ୍ୟାହ୍ନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଯଥା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଧା, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି। ବିଶେଷକରି ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାରେ ବଜ୍ରପାତର ପ୍ରକୋପ ଅଧିକ ରହିବ। ଠାଏଠାଏ ପ୍ରବଳ ବର୍ଷା ବି ହୋଇପାରେ। ୨୦ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ।

୨୧ ଓ ୨୨ତାରିଖରେ ସାରା ଓଡ଼ିଶାରେ ଶୁଖିଲା ପାଗ ଲାଗି ରହିବ। ଏହାପର ଦୁଇ ଦିନ ଅର୍ଥାତ୍‌ ୨୩ ଓ ୨୪ ତାରିଖରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବ। ଗତ ୧୨ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୧.୧ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୭.୪, ଅନୁଗୁଳ ଓ କେନ୍ଦୁଝରରେ ୭ମିମି ଲେଖାଏଁ, କୋରାପୁଟରେ ୪, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨ ମିମି ଲେଖାଏଁ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର