ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଫଳରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବ। ବିଶେଷକରି ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଉପକୂଳରେ ୩୫ରୁ ୪୫ କିମି ବେଗରେ ପବନ ବୋହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ୧୯ରୁ ୨୧ ତାରିଖ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ହେଲେ ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶାଙ୍କ ରହିଛି। ଏହାଦ୍ୱାରା ୨୧ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯଦିଓ ବନ୍ୟା ଆଶଙ୍କା ନାହିଁ ବୋଲି ସରକାରୀ ଭାବେ କୁହାଯାଉଛି, ତେବେ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ କରାଇ ଦିଆଯାଇଛି। ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଗତ କିଛି ଦିନ ହେଲା ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତକାଲି ପର୍ଯ୍ୟନ୍ତ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ସେପରି କୌଣସି ରିପୋର୍ଟ ମିଳି ନାହିଁ। ରାଜ୍ୟ ସରକାର ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲା ପ୍ରଶାସନକୁ ଏ ନେଇ ସତର୍କ କରାଇ ଦିଆଯାଇଛି।
୨୧ରୁ ସୁବର୍ଣ୍ଣରେଖା, ବୈତରଣୀ ଉପରମୁଣ୍ଡରେ ବର୍ଷିବ
ଜିଲ୍ଲା ପ୍ରଶାସନକୁ ସତର୍କ କରାଇଲେ ସରକାର
ଏସ୍ଆର୍ସି ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁଯାୟୀ ରାଜ୍ୟର ସବୁ ବଡ଼ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ରହିଛି ୨୮.୯ ମିମି। ତିନିଟି ଜିଲ୍ଲାରେ ବୃଷ୍ଟିପାତ ୫୦ ମିମି ଉପରେ ରହିଛି। ଝାରସୁଗୁଡ଼ାରେ ୧୦୦.୧ ମିମି, ଯାଜପୁରରେ ୭୪.୮ ମିମି ଓ କଟକରେ ୫୧.୫ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ୍ ୧ରୁ ଜୁଲାଇ ୧୭ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୫.୪ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଏସ୍ଆର୍ସି ଜଣାଇଛନ୍ତି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଏବେବି ମୌସୁମୀ ସକ୍ରିୟ ରହିଛି। ୧୮ରୁ ୨୦ ତାରିଖ ମଧ୍ୟରେ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ମଧ୍ୟମଧରଣର ବର୍ଷା ରହିବ। ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ପଶ୍ଚିମ ସୀମାନ୍ତ ଓଡ଼ିଶାରେ କମ୍ ବର୍ଷା ହେବ। ୨୦ ତାରିଖରେ ଉତ୍ତର ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁଲାଇ ୨୧ ତାରିଖ ବେଳକୁ ତାହା ଲଘୁଚାପରେ ପରିଣତ ହେବ। ୨୩ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିବାର ସମ୍ଭାବନା ରହିଛି। ଏହାପରେ ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଫଳରେ ବର୍ଷାର ପ୍ରକୋପ ଉତ୍ତର ଉପକୂଳରୁ ପଶ୍ଚିମ ଆଡକୁୁ କ୍ରମଶଃ ବଢ଼ିବ। ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଭାରି ବର୍ଷାର ସମ୍ଭାବନା ରହିଛି। ଏଥିସହ ସୁବର୍ଣ୍ଣରେଖା ଓ ବୈତରଣୀର ଉପରମୁଣ୍ଡରେ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି। ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୯ ଓ ୨୦ରେ ଉପକୂଳ ଓଡ଼ିଶାରେ ବର୍ଷା ରହିବ। ୨୧ ତାରିଖ ରାତିଠାରୁ ୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ମହାନଦୀର ଅପର କ୍ୟାଚ୍ମେଣ୍ଟରେ ବର୍ଷାର ପରିମାଣ ଅଧିକ ରହିବ। ୨୧ରୁ ୨୩ ଯାଏ ଯେଉଁ ବର୍ଷା ହେବ ତାହା ଦ୍ୱାରା ଉତ୍ତର ଓଡ଼ିଶାରେ ଥିବା ନଦୀଗୁଡ଼ିକରେ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ୧୯ ଓ ୨୦ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୨ ଓ ୨୩ ତାରିଖରେ ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ। ଛତିଶଗଡ଼ରେ ମଧ୍ୟ ବର୍ଷା ହୋଇପାରେ। ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ସାରା ଓଡ଼ିଶାରେ ବର୍ଷାର ପରିମାଣ ଟିକିଏ ହ୍ରାସ ପାଇଛି। କଟକରେ ସର୍ବାଧିକ ୫୬ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକ ସେଭଳି ବର୍ଷା ହୋଇ ନାହିଁ। ଭୁବନେଶ୍ୱରରେ ୮.୮ ମିମି, ମାଲକାନଗିରି, ଫୁଲବାଣୀରେ ୬ ମିମି ଲେଖାଏ, ତାଳଚେରରେ ୫ ମିମି, କୋରାପୁଟରେ ୪ ମିମି ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/rain-6.jpg)