ଲଘୁଚାପ ପ୍ରଭାବରେ ୮ ଯାଏ ବର୍ଷା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ତେବେ ୫ ତାରିଖ ଯାଲ ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଉପକୂଳ, ତେଲେଙ୍ଗାନା, ବିଦର୍ଭରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଲଘୁଚାପ ପ୍ରଭାବ ମୁଖ୍ୟତଃ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିବ। ବିଶେଷକରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ। ବୁଧବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରାୟ ଶହେ ମିମି ବର୍ଷା ବି ହୋଇପାରେ। ଏହି ସମୟ ମଧ୍ୟରେ ନୟାଗଡ଼, ଖୋର୍ଧା, ଜଗତସିଂହପୁର, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼ ଓ କଟକ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ କୋରାପୁଟ, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବ। ତେଣୁ ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ଟି ଜିଲ୍ଲାରେ ୪ ଓ ୫ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପ୍ରବଳ ବର୍ଷା ହେବାକୁ ଥିବା ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ପଶ୍ଚିମକେନ୍ଦ୍ରୀୟ ଓ ଏହା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ‌‌ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌. ଆର୍‌ ବିଶ୍ବାସ ପରାମର୍ଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଏହାଦ୍ବାରା ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କିଛି ନା କିଛି ବର୍ଷା ଲାଗି ରହିବ। ଲଘୁଚାପ ଆଜି ସନ୍ଧ୍ୟାରେ ଓଡ଼ିଶା ଉପରେ ରହିଛି। ଆସନ୍ତାକାଲି ମଧ୍ୟପ୍ରଦେଶରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହାର ପୂର୍ବ ଭାଗରେ ଓଡ଼ିଶା ଉପରେ ଥିବା ଲଘୁଚାପ ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ସେହି ଅବସ୍ଥ‌ାରେ ରହିବ। ତେଣୁ ଅନୁମାନ କରାଯାଉଛି ଯେ ୪ ତାରିଖରେ ଉତ୍ତର ଉପକୂଳ ଓ ସଂଲଗ୍ନ ଯଥା କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରରେ ସ୍ବଳ୍ପ ବର୍ଷା ହେବ। କଟକରୁ ଗଞ୍ଜାମ, ଢ଼େଙ୍କାନାଳ, ଅନୁଗୁଳ, ସୋନପୁର, ବରଗଡ଼ରେ ମଧ୍ୟମଧରଣ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୫ରୁ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା, ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ ତାରିଖରେ ବର୍ଷା କମିବ। ୫ ଓ ୬ ତାରିଖରେ ହାଲକା ବର୍ଷା ହୋଇପାରେ। ୭ରେ ପୁଣି ବର୍ଷା ବଢ଼ିବ। ଜଣାପଡ଼ୁଛି ଯେ ଏହି ସପ୍ତାହର ବର୍ଷା ସ୍ବାଭାବିକଠାରୁ ୨୫ରୁ ୫୦ପ୍ରତିଶତ ଅଧିକ ରହିବ। ‌ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୧୫୧ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬୯.୯, କୋରାପୁଟରେ ୫୨.୨, ଭୁବନେଶ୍ବରରେ ୪୯.୬, ଚାନ୍ଦବାଲିରେ ୨୯.୭, ହୀରାକୁଦରେ ୨୩.୮, ସମ୍ବଲପୁରରେ ୨୩.୪, ବାରିପଦାରେ ୨୨, ମାଲକାନଗିରିରେ ୨୦.୮ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର