ଅଦିନିଆ ବର୍ଷାରେ ଚାଷ କ୍ଷତିଗ୍ରସ୍ତ : କେନ୍ଦ୍ର କୃଷିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ, ଅଦିନିଆ ବର୍ଷା ଓ କୁଆପଥର ମାଡ଼ କାରଣରୁ ବ୍ୟାପକ ଫସଲହାନୀ ହୋଇଛି। ଏ ସମ୍ପର୍କରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ପରିସ୍ଥିତିର ସମୀକ୍ଷା କରି ଚାଷୀମାନଙ୍କୁ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦେବାକୁ ଶ୍ରୀ ପ୍ରଧାନ ପତ୍ର ଲେଖି ଅନୁରୋଧ କରିଛନ୍ତି।

ପତ୍ରରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ଏହି ପ୍ରାକୃତିକ ବିପର୍ଯ୍ୟୟ ଫସଲହାନୀର ଠିକ୍‌ ଆକଳନ ହୋଇ ନ ଥିଲେ ବି ମଧ୍ୟ ହଜାର ହଜାର ଏକରରେ ଫସଲ ନଷ୍ଟ ହୋଇଛି। ଛଅଟି ଜିଲ୍ଲା ବରଗଡ଼, ଯାଜପୁର, ସୋନପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ସର୍ବାଧିକ କ୍ଷୟକ୍ଷତିର ଆକଳନ କରାଯାଇଛି। ଫସଲ ନଷ୍ଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିରେ ଚାଷୀମାନେ ଚରମ ପଦକ୍ଷେପ ନେଇ ଆତ୍ମହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସିଛି। ଅନ୍ୟୁନ ଦୁଇ ଜଣ ଚାଷୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ଘଟଣାର ସମୀକ୍ଷା କରି ତ୍ୱରିତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ପୂର୍ବରୁ ଓଡ଼ିଆ ଚାଷୀଙ୍କ ସମସ୍ୟା ସମୟରେ କୃଷି ମନ୍ତ୍ରୀ ରାଧାମୋହନ ସିଂହ ସହଯୋଗର ହାତ ବଢ଼ାଇଥିବା ସମ୍ପର୍କରେ ସେ ଏହି ପତ୍ରରେ ଉଲ୍ଳେଖ କରିଛନ୍ତି।

ସମ୍ବନ୍ଧିତ ଖବର