ଅସରାଏ ବର୍ଷାରେ ନଇଁଯାଉଛି ବିଜୁଳି ଖୁଣ୍ଟ : ବର୍ଷା ଧରାଇଦେଲା ନିମ୍ନମାନର କାମ, ୧୧ କେଭି, ଏଲ୍‌ଟି ଖୁଣ୍ଟ ବି ଟଳମଳ, କୋଟି କୋଟି ଟଙ୍କା ପାଣିରେ ପଡ଼ିବ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ବିଦ୍ୟୁତ୍ ବିଭାଗ ୮୦ ପ୍ରତିଶତ ପୁନରୁଦ୍ଧାର କାମ ସାରିଥିବା ଯୁକ୍ତି ରଖୁଛି। ସହରାଞ୍ଚଳର ପୁନରୁଦ୍ଧାର କାମ ଶହେ ପ୍ରତିଶତ ଶେଷ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ବିଜୁଳି ସଂଯୋଗ ଜୁନ୍ ୩୦ ସୁଦ୍ଧା ଶେଷ କରିଦେବ ବୋଲି କଣ୍ଟ ବି ଦେଇଛି। କିନ୍ତୁ ବିଦ୍ୟୁତ୍ ବିଭାଗ ଏହି ଆଳରେ ଯେ ଅତି ନିମ୍ନମାନର କାମ ସାରି ଦୋଷ ତୁଟାଇବାକୁ ବସିଛି, ତାହା ଲଘୁଚାପଜନିତ ଲଗାଣ ବର୍ଷା ଧରା ପକାଇ ଦେଇଛି। ବାତ୍ୟା ପରେ ସେସୁ ଓ ଫେଡ୍‌କୋ ପକ୍ଷରୁ ଯେଉଁ ସବୁ ବିଜୁଳି ଖୁଣ୍ଟ ପୋତା ଯାଇଥିଲା, ଲଗାଣ ବର୍ଷାରେ ତାହା ନଇଁ ଯାଇଛି। ଖାଲି ସେତିକି ନୁହେଁ, ବିଜୁଳି ଖୁଣ୍ଟ ଧସିଯିବା ସହ ଟଣାଯାଇଥିବା ନୂଆ ତାର ବି କ୍ଷତିଗ୍ରସ୍ତ ହୋଇଛି। ଯେଉଁଥି ପାଇଁ ବିଜୁଳି ସଂଯୋଗ ପାଇଥିବା ଗାଁଗୁଡ଼ିକ ପୁଣି ଥରେ ଅନ୍ଧାର ହୋଇଯାଇଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ସାର ହୋଇଛି।

ବାତ୍ୟାରେ ପୁରୀ ଜିଲ୍ଲାରେ ବିଜୁଳି ବିଭାଗ ସର୍ବାଧିକ କ୍ଷତି ସହିଥିଲା। ନିଜେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ବ ଦେବା ସହ ତୁହାକୁତୁହା ବୈଠକ ଡାକି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଠିକାଦାର, କୁଶଳୀ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହେଲା। ସେଲ୍ ଭଳି ବହୁ କମ୍ପାନିରୁ ବିଜୁଳି ଖୁଣ୍ଟି ମଗାଗଲା। ଦୈନକ ଟ୍ରକ୍ ଟ୍ରକ୍ ଟ୍ରାନ୍ସଫର୍ମର, ତାର, ବିଜୁଳି ଖୁଣ୍ଟି ପୁରୀକୁ ଅଣାଗଲା। ଏହା ଭିତରେ ସହରାଞ୍ଚଳର କାମ ଶେଷ ହୋଇଯାଇଛି। ମାସେ ହେବ ସହରାଞ୍ଚଳ ଲୋକେ ବିଜୁଳି ସଂଯୋଗ ପାଇ ସାରିଲେଣି। କିନ୍ତୁ ଗ୍ରାମାଞ୍ଚଳର ଲୋକେ ଆଜି ବି ଶତ ପ୍ରତିଶତ ବିଜୁଳି ସଂଯୋଗ ପାଇନାହାନ୍ତି। ବିଜୁଳି ବିଭାଗର ରିପୋର୍ଟ ମୁତାବକ, ବାତ୍ୟାରେ ୧.୬୦ ଲକ୍ଷ ଗ୍ରାହକଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। କେବଳ ସହରାଞ୍ଚଳରେ ୬୫ ହଜାର ଗ୍ରାହକ ବିଜୁଳି ସଂଯୋଗରୁ ବଞ୍ଚିତ ହୋଇଥିଲେ। ପୁନରୁଦ୍ଧାର କାର୍ଯ୍ୟ ପରେ ଏବେ ପୂରା ସହର ଆଲୋକିତ ହୋଇଛି। କିନ୍ତୁ ଗ୍ରାମାଞ୍ଚଳ କଥା ପଚାରିଲା ବେଳକୁ ଅଧିକାରୀମାନେ ଥଙ୍ଗଥଙ୍ଗ ହେଉଛନ୍ତି। ଇତିମଧ୍ୟରେ ତିନି ତିନି ଥର ରଥଯାତ୍ରା ସମନ୍ବୟ ବୈଠକ ବସି ସାରିଲାଣି। ପ୍ରଥମ ବୈଠକରେ ସେସୁ ଅଧିକାରୀମାନେ ୧୫ ଦିନ ଭିତରେ ଗ୍ରାମାଞ୍ଚଳର ବିଜୁଳି ସଂଯୋଗ ସ୍ବାଭାବିକ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦ୍ବିତୀୟ ସମନ୍ବୟ ବୈଠକରେ ଆହୁରି ୧୫ ଦିନ ସମୟ ମାଗିଥିଲେ। ଜୁନ୍ ୧୫ ସୁଦ୍ଧା ଗ୍ରାମାଞ୍ଚଳରେ ବିଜୁଳି ସଂଯୋଗ ସ୍ବାଭାବିକ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ତୃତୀୟ ସମନ୍ବୟ ବୈଠକ ବେଳକୁ ମତ ବଦଳାଇଥିଲେ ଅଧିକାରୀମାନେ। କହିଥିଲେ ଜୁନ୍ ୩୦ ସୁଦ୍ଧା ସବୁ କାମ ସାରିଦେବୁ। ସବୁ ଗାଁ ଆଲୋକିତ ହେବ। ଏହି କଣ୍ଟ ପୂରିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ତଥାପି ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଲୋକ ଅନ୍ଧକାର ଭିତରେ ରହିଛନ୍ତି। ଆଜି ପର୍ଯ୍ୟନ୍ତ ସେସୁ ଏମାନଙ୍କୁ ବିଜୁଳି ସଂଯୋଗ ଦେଇପାରିନି।

ସେପଟେ ଲଘୁଚାପଜନିତ ବର୍ଷା ବିଜୁଳି ସଂଯୋଗରେ ଅନ୍ତରାୟ ସାଜିଛି। ସେସୁର ଭୁଲ ପାଇଁ ଗ୍ରାମାଞ୍ଚଳ ଲୋକେ ଦୁର୍ଦ୍ଦଶା ଭୋଗିବାକୁ ଯାଉଛନ୍ତି। ଲଗାଣ ବର୍ଷାରେ ବିଜୁଳି ଖୁଣ୍ଟ, ଏମିତିକି ୧୧ କେଭିଠାରୁ ଆରମ୍ଭ କରି ଏଲଟି ଲାଇନ୍ ଉପୁଡ଼ି ତଳେ ପଡ଼ିଛି। ଖୁଣ୍ଟିଗୁଡ଼ିକ ଗଭୀର ଖୋଳା ନ ହୋଇ ପୋତା ଯାଇଥିବା ଓ ମୂଳଦୁଆ ଶକ୍ତ ହୋଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ବିଜୁଳି କାମରେ ନିୟୋଜିତ ଯନ୍ତ୍ରୀ, କର୍ମଚାରୀମାନେ ନିଜେ କାମ କରିବା ବଦଳରେ ଗାଁ ଲୋକଙ୍କୁ ଲଗାଇ କାମ କରିଥିଲେ। ଯାହାର ପରିଣାମ ସ୍ବରୂପ ଏଭଳି ଅବସ୍ଥା ହୋଇଛି। ସଦର ବ୍ଲକକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ସଦର ମହକୁମାର ଅନେକ ପଞ୍ଚାୟତ ଏବେ ବି ଅନ୍ଧକାର ଭିତରେ ରହିଛି। ଚାଳିଶବାଟିଆ ପଞ୍ଚାୟତର ମଧୁବନବାଲିଆ ହେଉ କି ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ, ସବୁଠି ଘନ ଅନ୍ଧକାର। ବର୍ଷାରେ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତର ହାଡ଼ନଇକୂଳ, ବାଲିଗୋରଡ଼ି, ଜିରାକନ୍ଦି ଆଦି ଗାଁ ଏବେ ଅନ୍ଧକାର ଭିତରେ ରହିଛି। ଯେଉଁଠି ସଦର ବ୍ଲକର ଏହି ଅବସ୍ଥା ସେଠି ଅନ୍ୟ ବ୍ଲକର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର