ଲଗାଣ ବର୍ଷା ସତ୍ତ୍ବେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ; ପୁରୀ, ଜଗତସିଂହପୁରରେ ବଳକା ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ଗତ ୧୨ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହା ଫଳରେ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ କିଛିଟା ସୁଧାର ଆସିଛି । ତଥାପି ରାଜ୍ୟର ୯ଟି ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟ ରହିଛି ପାଣିପାଗ ବିଭାଗ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି ।

ସାରା ରାଜ୍ୟରେ ହାରାହାରି ୯୩୨.୫ ମିଲିମିଟର ବର୍ଷା ହୋଇଥିବାବେଳେ ନିଅଣ୍ଟ ପରିମାଣ ହ୍ରାସ ପାଇ ୧୨ ପ୍ରତିଶତରେ ପହଞ୍ଚିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ରାଜ୍ୟର ଭଦ୍ରକ,ଯାଜପୁର,କେନ୍ଦୁଝର, ଦେବଗଡ଼,ସମ୍ବଲପୁର,ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ଏବେ ବି ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲ୍ଲାରେ ନିଅଣ୍ଟ ପରିମାଣ ୨୨ ପ୍ରତିଶତରୁ ୩୧ ପ୍ରତିଶତ ମଧ୍ୟରେ ରହିଛି ।

ଅନ୍ୟପକ୍ଷରେ ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ ଜଗତସିଂହପୁରରେ ବଳକା ବର୍ଷା ହୋଇଛି । ପୁରୀରେ ୧୧୬୧ ମିଲିମିଟର ବର୍ଷା ସହ ୨୮ ପ୍ରତିଶତ ବଳକା ବର୍ଷା ହୋଇଥିବାବେଳେ ଗଜତସିଂହପୁରରେ ୧୩୦୫ ମିଲିମିଟର ବର୍ଷା ସହ ୩୨ ପ୍ରତିଶତ ବଳକା ବର୍ଷା ହୋଇଛି ।

 

ସମ୍ବନ୍ଧିତ ଖବର