ବାଲେଶ୍ବର: ଲଗାତାର ୪ ଦିନ ଧରି ପ୍ରବଳ ବର୍ଷା ପରେ ବାଲେଶ୍ବର ଜିଲ୍ଲାରେ ବିିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି। ଜଳକା ନଦୀରେ ବିପଦ ସଙ୍କେତ ଉପରେ ବର୍ଷା ଜଳ ପ୍ରବାହିତ ହୋଇ ନଦୀକୂଳ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବସ୍ତା ବ୍ଲକ ମଥାନୀ ଠାରେ ଜଳକା ନଦୀରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଆଜି ରାତି ୯ଟା ବେଳକୁ ସେଠାରେ ୬.୫ ମିଟର ଉପରେ ଜଳ ପ୍ରବାହିତ ହେଉଥିଲା। ସେହିପରି ବୁଢ଼ାବଳଙ୍ଗ ନଦୀରେ ପ୍ରବାହିତ ବର୍ଷା ଜଳ ବିପଦସଙ୍କେତଠାରୁ ଢେର ତଳେ ପ୍ରବାହିତ ହେଉଥିଲେ ମଧ୍ୟ ଧୀରେ ଧୀରେ ପାଣି ଉପରକୁ ଉଠୁଥିବା ଜଣାପଡ଼ିଛି। ବୁଢ଼ାବଳଙ୍ଗ ନଦୀର ଏନ୍ଏଚ୍ ଠାରେ ୬.୭୦ ମିଟର ଏବଂ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ୪.୩୫ ମିଟର ଉପରେ ଜଳ ପ୍ରବାହିତ ହେଉଥିବା ଜଣାଯାଇଛି।
ପ୍ରବଳ ବର୍ଷା ଏବଂ ନଦୀ ଫୁଲୁଥିବାରୁ ବସ୍ତା, ବାଲେଶ୍ବର ସଦର ଏବଂ ରେମୁଣା ବ୍ଲକର ନଦୀକୂଳିଆ ଅଞ୍ଚଳରେ ଚାଷ ଜମି ଏବଂ କିଛି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଲବାଡ଼ିରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ୫ ନମ୍ବର ଜାତୀୟ ରାଜପଥର ଗହୀର ସିମୁଳିଆ କଟିପୋଲ ପାଖ ଏବଂ ମଥାନୀ ପଞ୍ଚାୟତର ସାନଖୁଡ଼ି ନୟନଯୋରିର ଅଧିକାଂଶ ସ୍ଥାନରେ ବନ୍ଧବାନ୍ଧି ଅବରୋଧ କରାଯାଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ପାଖ ଗାଁଗୁଡ଼ିକୁ ପାଣି ପଶିଯାଇଥିବା ଦେଖାଯାଇଛି। ବସ୍ତା ତହସିଲଦାର କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ନାଳସଫା କରାଯିବା ସହ ଜଳ ନିଷ୍କାସନ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇ ଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇପାରିନାହିଁ। ତାଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି ଅମର କୁମାର ଗିରି, ଗୋପାଳ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଗିରି, ସୃଷ୍ଟିଧର ଗିରି, ବରେନ୍ଦ୍ର ଗିରି, ଧୀରେନ ବେହେରା, ରବୀନ୍ଦ୍ର ଗିରି, ବାବୁଲି ପରିଡ଼ା, ନାଭ ବେହେରା, ସୁର ଗିରି, ବାଜ ଦାସ, ଗେଣ୍ତୁଆ ଦାସ, ମନୁଆ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କ ରହିଛି। ତାପଣ୍ତ, ମେଳକ, ପେଗରପଡ଼ା, ଧଳସାହି, ମଥାନୀ, ଲକ୍ଷ୍ମଣାପଡ଼ା, ସାନଖୁଡ଼ି ପାତ୍ରସାହି, ଦାସସାହି ମଧ୍ୟ ଦେଇ ଯାଇଥିବା ଜଳକା ନଦୀର ଦୁଇପାର୍ଶ୍ବ ଭେଡ଼ି ବନ୍ଧର ସ୍ଥାନେ ସ୍ଥାନେ ମାଟିଅତଡ଼ା ଖସୁଥିବା ବେଳେ ମଥାନୀ ଛକ ଓ ସାନଖୁଡ଼ି ବଜାର ନିକଟରେ ଦୀର୍ଘ ୨ ବର୍ଷ ହେଲା ନୂତନପୋଲ ନିର୍ମାଣ ଚାଲିଛି। ନଦୀରେ ବନ୍ଧ ପକାଇ ପାଣି ଅବରୋଧ କରାଯାଇଥିବାରୁ ବହୁ ଅସୁବିଧା ହେଉଥିବା ଅଞ୍ଚଳବାସୀ କହିଛନ୍ତି।
ସେହିପରି ରେମୁଣା ବ୍ଲକ ଦେଇ ପ୍ରବାହିତ ହେଉଥିବା ସୋନ ଏବଂ ଗଙ୍ଗାହାର ନଈରେ ପାଣି ବଢ଼ି ସ୍ଥାନୀୟ ବଡ଼ପାଳ, ମନ୍ଦାରପୁର, ଦୁର୍ଗାଦେବୀ ଆଦି ପଞ୍ଚାୟତର ଏକାଧିକ ଗାଁ ଓ ଚାଷ ଜମି ବର୍ଷା ଓ ନଦୀ ପାଣିରେ ଜଳାର୍ଣ୍ଣବ ହୋଇଛି। ଫଳରେ ଏ ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ କମଳଲୋଚନ ପଣ୍ଡା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର େସମାଧାନ କିପରି ହୋଇପାରିବ ସେ ଦିଗରେ ପଦକ୍ଷେପ ନେଲି। ଏବଂ କିଛି ଲୋକଙ୍କ ଘର ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବାର ଦେଖି ତାଙ୍କୁ କିପରି ସରକାରୀ ସହାୟତା ଯୋଗାଇ ଦିଆଯିବ ସେ ନେଇ ସେ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ। ସମାନ ପରିସ୍ଥିତି ସଦର ବ୍ଲକ ଅର୍ନ୍ତଗତ ଶ୍ରୀକୋଣା, ବାହାବଳପୁର, ଛାନୁଆ, ପରିଖି, ସିନ୍ଧିଆ ଓ ଗୋପୀନାଥ ପଞ୍ଚାୟତ ଅଞ୍ଚଳରେ ଦେଖାଯାଇଛି। ବେଆଇନ୍ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡ଼ିଘେରି ପାଇଁ ବର୍ଷା ଜଳ ନିଷ୍କାସନରେ ନାହିଁନଥିବା ସମସ୍ୟା ଦେଖାଦେଇଛି। ରାସ୍ତାଘାଟ ଓ ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ତଳି ଅଞ୍ଚଳଗୁଡ଼ିକରେ ଥିବା ଜନବସତି ମଧ୍ୟ ଜଳବନ୍ଦୀ ହୋଇଥିବା ଅଭିଯୋଗ ହୋଇଛି। ତେବେ ୫/୬ ଦିନର ବର୍ଷାରେ ଯଦି ପରିସ୍ଥିତି ଏତେ ଗମ୍ଭୀର ହେଲାଣି ତାହେଲେ ଆଗକୁ ସ୍ଥିତି ଭୟଙ୍କର ହେବ। ଜିଲ୍ଲା ପ୍ରଶାସନ ବର୍ଷାଜଳ ନିଷ୍କାସନ ପ୍ରତି ଗୁରୁତ୍ବ ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/rain-balasore-f.jpg)