କନ୍ଧମାଳରେ ବର୍ଷା ବିତ୍ପାତ, ଭୂସ୍ଖଳନ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାj ଘୁ.ଉଦୟଗିରି ବ୍ଲକ୍‌ରେ ସର୍ବାଧିକ ୧୧୨. ୦୨ ମିମି. ବର୍ଷା ରେକର୍ଡ଼ କରାଯାଇଛି। ଗ୍ରେସିଙ୍ଗିଆ ପଞ୍ଚାୟତର ଡମେଙ୍ଗି ଓ ବୁରୁପାଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦେରିଜଡ଼ି ନଦୀରେ ପ୍ରଖର ସ୍ରୋତରେ ବନ୍ୟାପାଣି ପ୍ରବାହିତ ହେଉଛି ଓ ଜଳସ୍ରୋତ ଅଣ୍ଟାଏ ଉଚ୍ଚରେ ରାସ୍ତା ଅତିକ୍ରମ କରୁଛି। ପୋଲ ନଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଉଭୟ ଡମେଙ୍ଗି ଓ ବୁରୁପାଟି ଗ୍ରାମରେ ୨୦୦ରୁ ଅଧିକ ପରିବାରର ପାଖାପାଖି ୧୫ ଶହ ଲୋକ ଜଳବନ୍ଦି ହୋଇଛନ୍ତି। ପାଠପଢ଼ା ମଧ୍ୟ ବନ୍ଦ ହୋଇଯାଇଛି।

କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ସାରଙ୍ଗଗଡ଼ ନିକଟ ଚଞ୍ଚଳା ସାହି ଛକ ମୁଖ୍ୟ ସଡ଼କରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେବା ସହ ଆଖପାଖ ଚାଷ ଜମି ସବୁ ବୁଡ଼ିଯାଇଛି। ଫଳରେ ସାରଙ୍ଗଗଡ଼-ଘୁ.ଉଦୟଗିରି ମୁଖ୍ୟ ସଡ଼କରେ ଯାତାୟାତ ବନ୍ଦ ରହିଛି।

ତୁମୁଡ଼ିବନ୍ଧ ବ୍ଲକ୍‌ ମାତୃଗାଁ-ବେଲଘର ଘାଟିର ଉଷାବାଲି ନିକଟରେ ଭୁସ୍ଖଳନ ଯୋଗୁଁ ତୁମୁଡ଼ିବନ୍ଧ-ଜଲେଶପଟ୍ଟାରୁ ସିର୍ଲା ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାର ସରଧାପୁର ନିକଟରେ ଗାର୍ଡ଼ୱାଲ୍‌ ଧୋଇ ହୋଇ ରାସ୍ତା ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ମାଟିପଥର ହଟାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି। ରାହୁଳ, ଚାଉଳଧୁଆ ଓ ଉତ୍ତେଇ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଟୁରୀ ନାଳ ସମେତ ଛୋଟ ବଡ ନାଳରେ ପାହାଡିଆ ପାଣି ଆସି ବିଭିନ୍ନ ରାସ୍ତା ଓ କର୍ଲଭଟ ଧୋଇ ହୋଇ ଯାଇଛି। ଖଡ଼୍‌ଗ ନଦୀ ଓ ଦମଦେଇ ନାଳ ଓ ଖଜୁରୀନାଳରେ ପାଣି ଫୁଲୁଥିବା ଦେଖିବା‌କୁ ମିଳିଛି। ଚକାପାଦ ବ୍ଲକ୍‌ ଚାହାଳି ପଞ୍ଚାୟତର ପଇତାଗାଁ ଡ୍ୟାମ୍ ପାର୍ଶ୍ବ ରାସ୍ତାରେ ଥିବା କଲର୍ଭଟ ଉପରେ ୩ ଫୁଟର ପାଣି ଚାଲିଥିବାରୁ ଚକାପାଦ ଓ ଚାହାଳି ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। କ.ନୂଆଗାଁ ବ୍ଲକ୍‌ ବଣ୍ଡଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀକକ୍ଷରେ ପାଣି ପଶିଯାଇଛି। ବାଲିଗୁଡ଼ା ସହର ଏବଂ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଛି।

ସମ୍ବନ୍ଧିତ ଖବର