କୋରାପୁଟରେ ବର୍ଷା ବିତ୍ପାତ: ଘାଟିରେ ଭୂସ୍ଖଳନ, ଖସିଲା ପଥର

କୋରାପୁଟ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା। ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୦୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ପ୍ରଭାବରେ ୩୨୬ ନଂ ଜାତୀୟ ରାଜପଥର କୋରାପୁଟ ଘାଟିରେ ଭୂସ୍ଖଳନ ଘଟିବା ସହ କୋରାପୁଟ ରେଳ ଷ୍ଟେସନରେ ପଶିଛି ପାଣି। ସେହିପରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ଜଳ ଲହଡ଼ି ଭାଙ୍ଗିଥିବା ବେଳେ ନନ୍ଦପୁର ବ୍ଲକ୍ କୁମାରବେଲଗାଁ ପୋଲରେ ୪ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁ ମାଳିଗାଁବେଲଗାଁ ପଞ୍ଚାୟତର ୬ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମଙ୍ଗଳବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ପରିମାଣ ବଢ଼ିବା ପରେ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ିଥିଲା। ଗାଁକୁ ସଂଯୋଗ ହୋଇଥିବା ବହୁ ପୋଲ ଉପରେ ପାଣି ପ୍ରବାହିତ ହେବା କାରଣରୁ ଯାତାୟାତ ଠପ୍ ହୋଇଯାଇଥିଲା। ସେହିପରି କୋରାପୁଟ-ଜୟପୁର ଘାଟି ରାସ୍ତାରେ ବଡ଼ ବଡ଼ ପଥର ଧସିବା ସହ ଗଛ ପଡ଼ିବା କାରଣରୁ ରାତିରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘାଟିର ଏକାଧିକ ସ୍ଥାନରେ ମାଟି ଅତଡା ଧସିଥିବା ବେଳେ ଆଜି ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ଘାଟି ରାସ୍ତାରେ ପଡିଥିବା ପଥର, ମାଟି ଅତଡ଼ା ଓ ଗଛକୁ ହଟାଯାଇଥିଲା। ଫଳରେ ଘାଟି ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି।
ପୁଣି ବୁଧବାର ସକାଳୁ ବର୍ଷା ପରିମାଣ ବଢ଼ିବାରୁ କୋରାପୁଟ ସହରର ସ୍ଥିତି ଅଧିକ ସାଂଘାତିକ ହୋଇଥିଲା। କୋରାପୁଟ ଷ୍ଟେସନରେ ପାଣି ପଶିବା ସହ ୪ ଓ ୫ ନଂ ପ୍ଲାଟଫର୍ମରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଦୁଇ ପ୍ଲାଟଫର୍ମ କିରଣ୍ଡୁଲ୍-କୋରାପୁଟ-ବିଶାଖାପାଟଣା ଏବଂ କୋରାପୁଟ-ଭୁବନେଶ୍ବରକୁ ଟ୍ରେନ୍ ଚଳାଚଳ ପାଇଁ ବ୍ୟବହାର କରାଯାଇଥାଏ। ଦୁଇ ତିନି ଘଣ୍ଟା ଧରି ପ୍ଲାଟଫର୍ମର ରେଳଧାରଣା ଉପରେ ପାଣି ଚାଲିଥିଲେ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଅନ୍ୟପକ୍ଷରେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଜମି ରହିବା କାରଣରୁ ରୋଗୀସେବା ବ୍ୟାହତ ହୋଇଥିଲା।

ସମ୍ବନ୍ଧିତ ଖବର