ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଗତ ସୋମବାରଠାରୁ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ଚାଷଜମି ବାଲିଚର ହୋଇଯାଇଛି। ଜିଲ୍ଲାରେ ବୁଧବାର ୪୨୩ ମିମି ଓ ଗୁରୁବାର ୨୧୧ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥିତିରେ ସବୁ ନଈନାଳ କୂଳ ଖାଉଥିବା ବେଳେ ଜିଲ୍ଲାର ଶହ ଶହ ହେକ୍ଟର ଜମି ବାଲିଚର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ନୂଆପଡ଼ା ବ୍ଲକ କେରମେଲି ପଞ୍ଚାୟତ ବାଙ୍ଗଟି ନାଳରେ ୩ ଫୁଟ୍‌ ବନ୍ୟାପାଣି ପ୍ରବାହିତ ହେଉଥିବାରୁ କେରମେଲି ଗ୍ରାମର ଚାଷୀ ଲାଲମତ ମାଝୀଙ୍କ ୨ ଏକର, ଭୂଷଣଲାଲ ମାଝୀଙ୍କ ୨ ଏକର, ଘନଶ୍ୟାମ ମାଝୀଙ୍କ ୨ ଏକର, ଈଶ୍ବର ପ୍ରସାଦ ମାଝୀ ଓ ନୀଳକଣ୍ଠ ମାଝୀଙ୍କ ଗୋଟିଏ ଏକର ଜମିରେ ପାଣି ମାଡ଼ିଯାଇ ବାଲିଚର ହୋଇଛି। ସେହିପରି ପତୋରା ଅପର ଜୋଙ୍କର ୩ଟି ଗେଟ୍ ଖୋଲା ଯାଇଥିବାରୁ ବହୁ ଚାଷୀଙ୍କ ଧାନ ଫସଲ ପାଣିରେ ବୁଡ଼ି ରହିଥିବା ଦେଖାଯାଇଛି।

Advertisment

ରୁଆ ହୋଇଥିବା ଧାନର ତଳି ବୁଡ଼ି ରହିଥିବାରୁ ପଚିଯିବା ଆଶଙ୍କା ସୃଷ୍ଟି ହୋଇଛି। ଏଣେ ପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଖରିଫ ଚାଷ କାମ ପଛେଇ ଯାଇଥିଲା। ଏମିତିକି ତଳି ବି ଶୁଖିଯିବାରୁ ଚାଷୀ ତରବରରେ ମୋଟର ଲଗାଇ ପାଣି ମଡ଼ାଇଥିଲେ। କିଛି ଚାଷୀ ଖାଲୁଆ ଜମିରେ ତଳି ରୁଆ ସାରିଥିଲେ। ମାତ୍ର ଗତ ଦୁଇ ଦିନର ପ୍ରବଳ ବର୍ଷା ଚାଷୀଙ୍କ ଚିନ୍ତାରେ ବଢ଼ାଇ ଦେଇଛି। ରୁଆ ହୋଇଥିବା ତଳି ବୁଡ଼ି ରହିଛି। ଏଭଳି ବର୍ଷା ଲାଗି ରହିଲେ ତଳି ପଚିଯିବା ଆଶଂକା ରହିଛି। ଅନ୍ୟପକ୍ଷରେ ପନିପରିବା କିଆରି ମଧ୍ୟ ପାଣିରେ ବୁଡ଼ି ରହିଛି। ବର୍ତ୍ତମାନ ପରିବା ଦର ବୃଦ୍ଧି ହୋଇଥିବା ବେଳେ ସ୍ଥାନୀୟ ଚାଷୀମାନେ ଦି ପଇସା ରୋଜଗାର କରିବାର ଆଶା ରଖିଥିଲେ। ହେଲେ ପୋଟଳ, ଭେଣ୍ଡି, ଜହ୍ନି, କାକୁଡ଼ି, ବାଇଗଣ, କଖାରୁ, ଲଙ୍କା ଆଦି କିଆରି ପାଣିରେ ବୁଡ଼ି ରହିଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।