ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଏବେ ବି ସେହି ଅଞ୍ଚଳରେ ରହିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ବଲାଙ୍ଗୀରଠାରେ ସର୍ବାଧିକ ବର୍ଷା ୧୦୮ ମିମି ବର୍ଷା ହୋଇଛି। ସେହିଭଳି ସୋନପୁରରେ ୭୩.୪ ମିମି, ଟିଟିଲାଗଡ଼ରେ ୫୫.୪ ମିମି, କେନ୍ଦୁଝରରେ ୪୬.୮ ମିମି, ଢେଙ୍କାନାଳରେ ୪୪ ମିମି ଲେଖାଏଁ ବର୍ଷା ହୋଇଯାଇଛି। ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘୂର୍ଣ୍ଣିବଳୟ ଓ ସକ୍ରିୟ ସୁଦୃଶ ଲଘୁଚାପ ପ୍ରଭାବରେ ଗତ ୩ ଦିନରେ ରାଜ୍ୟରେ ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାରେ ବ୍ୟ‌ାପକ କ୍ଷୟକ୍ଷତି ଘଟିଥିବା ଏସ୍‌ଆର୍‌ସି କହିଛନ୍ତି।

Advertisment

ସୁଦୃଶ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟାର ବର୍ଷାକୁ ହିସାବକୁ ନେଲେ ଜଣାପଡ଼ୁଛି, ବଲାଙ୍ଗୀରରେ ସର୍ବାଧିକ ବର୍ଷା ୨୧୫ ମିମି ରେକର୍ଡ ହୋଇଛି। ପଛକୁ ରହିଛି ବଲାଙ୍ଗୀରର ପୁଇଁନ୍ତଳା ବ୍ଲକ୍‌। ଏଠାରେ ୧୩୦ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକ ଭଣ୍ଡାରୀପୋଖରୀରେ ୧୦୭ ମିମି, ବୌଦ୍ଧ କଣ୍ଟାମାଳରେ ୧୫୮ ମିମି, କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାରରେ ୧୦୫ ମିମି ଲେଖାଏଁ ବର୍ଷା ହୋଇଯାଇଛି। କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ଗତ ୨୪ ଘଣ୍ଟାରେ ପାଖାପାଖି ୧୫୦ ମିମି ବର୍ଷା ରେକର୍ଡ ହୋଇଯାଇଛି। ଫଳରେ କୋରାପୁଟ ଜିଲ୍ଲାର ୮ଟି ବ୍ଲକ୍‌ ଯଥା, କୋରାପୁଟ, ଲକ୍ଷ୍ମୀପୁର, ସେମିଳିଗୁଡ଼ା, ବୈପାରିଗୁଡ଼ା, କୋଟପାଡ୍‌, ନନ୍ଦପୁର, ପଟ୍ଟାଙ୍ଗୀ ଓ ମାଛକୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨୨ ଟି ଗାଁର ୬୩୪୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ୪୦ଟି ଘର ଭାଙ୍ଗିଯାଇଛି।

ସେହିଭଳି ମାଲକାନଗିରି ଜିଲ୍ଲାରେ ୩ଟି ବ୍ଲକ୍‌ ଯଥା, ମାଥିଲି, କାଲିମେଳା ଓ ମାଲକାନଗିରିର ୧୦ ଗାଁର ୮୧୫ ଜଣ ବର୍ଷା ଯୋଗୁଁ ହନ୍ତସନ୍ତ ହୋଇଥିବ‌ା ବେଳେ ୧୪ଟି ଘର ଅଧା ଭାଙ୍ଗିପଡ଼ିଛି। ଫଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ସାମୟିକ ସୁରକ୍ଷା ପାଇଁ ପଲିଥିନ୍‌ ବଣ୍ଟନ କରାଯାଇଛି। କନ୍ଧମାଳ ଜିଲ୍ଲାର କୋଟଗଡ଼, ଦାରିଙ୍ଗବାଡ଼ି ଓ ଫିରିଙ୍ଗିଆ ଆଦି ବ୍ଲକ ଲଗାଣ ବର୍ଷାରେ ବେହାଲ ହୋଇଯାଇଛି। ଫଳରେ ୨୩ଟି ଗାଁର ୪୩୦ ଜଣ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଓ ୬୨ଟି ଘର ଆଂଶିକ ଭାଙ୍ଗିଛି। କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍‌ ଓ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ରଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ବର୍ଷା ସମ୍ଭାବନାକୁ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀର ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪% ଅଧିକ। ରାୟଗଡ଼ା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬% ଅଧିକ। ୧ ଜୁନ୍‌ରୁ ୧୪ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୯୭୫.୨ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୦୪୪.୯ ମିମି ତୁଳନାରେ ୭% କମ୍‌। ଏହି ସମୟ ଅବଧି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ଅତି ଅଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲା ଯଥା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ନିଅଣ୍ଟ ବର୍ଷା ରେକର୍ଡ ହୋଇଛି। ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ଲଘୁଚାପ କ୍ଷେତ୍ର‌ଟି ଆସନ୍ତା ୨ ଦିନ ମଧ୍ୟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।