୧୦ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୧୦ ତାରିଖଠାରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ କିଛିଦିନରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ କରି ଦିଆଯାଇଥିବା ସୂଚନା ଅନୁସାରେ “ଗୁରୁବାର ଦିନ ଏକ ପଶ୍ଚିମାଝଡ଼ ଆଫଗାନିସ୍ତାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧କିମି ଉଚ୍ଚତାରେ ବାୟୁମଣ୍ଡଳରେ ଗୋଟିଏ ଘୂର୍ଣ୍ଣିବଳୟ ରୂପରେ ସକ୍ରିୟ ରହିଛି ।  ଏହାର ପ୍ରଭାବରେ ଏକ ପ୍ରେରିତ ଘୂର୍ଣ୍ଣିବଳୟ ଆସନ୍ତା କାଲି, ୭ଜାନୁଆରୀ ରେ ଦକ୍ଷିଣ ପଶ୍ଚିମ-ରାଜସ୍ଥାନ ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ୧୦ ଜାନୁଆରୀ ଠାରୁ ବର୍ଷା ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।“ ଏହି ବର୍ଷା ଯୋଗୁଁ ରାଜ୍ୟରେ ଶୀତ ପ୍ରବାହ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । କିନ୍ତୁ ବର୍ଷା ଛାଡ଼ିବା ପରେ ପୁଣି ଶୀତ ବଢିବାର ସମ୍ଭାବନା ରହିଛି ।

ଏହି ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କଟା ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ଡିସେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ ।

 

 

ସମ୍ବନ୍ଧିତ ଖବର