ଅସରାଏ ବର୍ଷାରେ ବୁଡ଼ିଲା ବାଲେଶ୍ବର ସହର

ବହୁ ଘରେ ପଶିଲା ପାଣି, ବୁଡ଼ିଗଲା ରାସ୍ତା ଓ ମାର୍କେଟ୍‌ କ‌ମ୍ପ୍ଲେକ୍ସ

ଦମକଳ ଦ୍ବାରା ଜଳ ନିଷ୍କାସନ, ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା
ପୌରପାଳିକା ଓ ଡ୍ରେନେଜ୍ ବିଭାଗକୁ ଦୋଷଦେଲେ ସହରବାସୀ

ବାଲେଶ୍ବର : ଅମୃତ ଯୋଜନାରେ ସାମିଲ ହୋଇଥିବା ବାଲେଶ୍ବର ସହରବାସୀ ଆଜି ବର୍ଷାକୁ ନେଇ ନାକେଦମ୍‌ ହୋଇଛନ୍ତି। ଅପରାହ୍‌ଣ ୩ଟା ୧୫ରେ ଆରମ୍ଭ ହୋଇ ସାଢ଼େ ୫ଟା ଯାଏ ବର୍ଷିଲା। ବର୍ଷାର ପ୍ରଭାବ ଏତେ ବେଶୀ ନଥିଲେ ବି ଅଢ଼େଇ ଘଣ୍ଟାର ଏହି ବର୍ଷା ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା। ଅନେକ ଜାଗାରେ ରାସ୍ତାଘାଟ ବୁଡ଼ିଯିବା ସହିତ ଦୋକାନବଜାର ଏମିତିକି ଘର ଭିତରେ ଅଣ୍ଟାଏ, ଛାତିଏ ଲେଖା ପାଣି ପଶି ଏକପ୍ରକାର ବନ୍ୟାର ଭ୍ରମ ସୃଷ୍ଟି କରିଥିଲା। ଶେଷରେ ଦମକଳ ଜରିଆରେ ବିଭିନ୍ନ ସ୍ଥାନରୁ ବର୍ଷାଜଳ ନିଷ୍କାସନ କରାଯାଇଛି। ପୌର ପ୍ରଶାସନର ଦୂରଦୃଷ୍ଟିହୀନତା, ବ୍ରିଟ୍‌ ଓ ଡ୍ରେନେଜ୍‌ ବିଭାଗର ବେପରୁଆ ମନୋଭାବ ଯୋଗୁଁ ସହରବାସୀ ଆଜି ଦହଗଞ୍ଜ ହେବା ସାଙ୍ଗକୁ ନାହିଁନଥିବା ଦୁର୍ଦ୍ଦଶା ଭୋଗିଛନ୍ତି।

ବୁଧବାର ସନ୍ଧ୍ୟା ୫ଟା ବେଳକୁ ବାଲେଶ୍ବର ସହରର ଫକୀରମୋହନ ଗୋଲେଇ, କଚେରୀ ରୋଡ୍‌, ଫାଣ୍ଡି ଛକ, ମୋତିଗଞ୍ଜ ବଜାର, ଆଜିମାବାଦ ଛକ, ରାଣୀପାଟଣା, ନୂଆବଜାର, ଚିଡ଼ିଆପୋଲ, ଗୋପାଳଗାଁ ଛକ, ବଡ଼ ଡାକ୍ତରଖାନା ପଛପାଖ ଗଣେଶ ମନ୍ଦିର ସମ୍ମୁଖ ରାସ୍ତା ଉପରେ ଏତେ ପାଣି ହୋଇ ଯାଇଥିଲା ଯେ, ଲୋକେ ଘରୁ ବାହାରିବା ପାଇଁ ବାଟ ପାଇନଥିଲେ। ଫାଣ୍ଡିଛକ ଏବଂ ଚିଡ଼ିଆପୋଲ ଅଞ୍ଚଳରେ ରାସ୍ତାଘାଟ ବୁଡ଼ିଯିବା ସହ ବିଭିନ୍ନ ମାର୍କେଟ୍‌ କ‌ମ୍ପ୍ଲେକ୍ସର ତଳ ମହଲାରେ ଥିବା ଦୋକାନ ଓ ସୋ ରୁମ୍‌ଗୁଡ଼ିକରେ ଅଣ୍ଟାଏ ଉଚ୍ଚର ପାଣି ପଶିଯିବା ଫଳରେ ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।

ସେହିପରି ବଡ଼ ଡାକ୍ତରଖାନା ଡ୍ରେନ୍‌ରୁ ବର୍ଷାଜଳ ସହ ଅଳିଆଆବର୍ଜନା ସବୁ ଭାସି ଆସି ଆଦ୍ୟାଶକ୍ତି ମନ୍ଦିର ସଂଲଗ୍ନ ଦୋକାନ ଓ ଲୋକଙ୍କ ଘରେ ପଶିଯିବାରୁ ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଅନୁରୂପ ଭାବେ ଅଙ୍ଗାରଗଡ଼ିଆ ଶିଳ୍ପାଞ୍ଚଳ, ବିକାଶନଗର, ରାମେଶ୍ବରନଗର, ଶୋଭାରାମପୁର, ଫକୀରମୋହନ ନଗର, ସତ୍ୟନଗର, ଶୋଭାରାମପୁର, ଭାସ୍କରଗଞ୍ଜ, ସହଦେବଖୁଣ୍ଟା, ତଳସାହି, ବୈରାମନଗର, ମଲ୍ଲୀକାଶପୁର ଅଞ୍ଚଳ ବର୍ଷାରେ ଉବୁଟୁବୁ ହୋଇଥିଲା। ବହୁ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ତଳିଆ ଅଞ୍ଚଳରେ ଏକପ୍ରକାର ରୋଷେଇ ବନ୍ଦ ଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷାଜଳରେ ଅନେକ ସରୀସୃପ ଭାସିଆସିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର