ରାତି ସାରା ବର୍ଷାରେ ଉବୁଟୁବୁ ବୌଦ୍ଧ

ବୌଦ୍ଧ/ଜହ୍ନାପଙ୍କ/ଘଣ୍ଟାପଡ଼ା : ସାରା ଆଷାଢ଼ରେ ଧୋକା ଦେଲା ମୌସୁମୀ। ମାସ ଗଲା ବେଳେ ଦିନକ ପୂର୍ବରୁ ଲଘୁଚାପ ପ୍ରଭାବରେ ଅଜାଡ଼ି ଦେଲା ବର୍ଷା। ବର୍ଷା ଅଭାବରେ ଜୀବିକା ଆଶାରେ ଚାଷୀ ଓ ଗରମରୁ ରକ୍ଷା ପାଇବା ପାଇଁ ସହରବାସୀ ଚାହିଁ ରହିଥିଲେ। ଗୁରୁବାର ମଧ୍ୟରାତ୍ରିରେ ବୌଦ୍ଧ ଜିଲ୍ଲାର ସବୁ ଅଞ୍ଚଳରେ ବର୍ଷା ହୋଇଛି। ବୌଦ୍ଧ ବ୍ଲକ୍‌ରେ ସର୍ବାଧିକ ହୋଇଥିବା ବେଳେ କଣ୍ଟାମାଳ ବ୍ଲକ୍‌ରେ ଅପେକ୍ଷାକୃତ କମ ବର୍ଷା ହୋଇଛି। ବର୍ଷା ଯୋଗୁଁ ଚାଷୀକୁଳ ଆଶ୍ବସ୍ତ ହୋଇଛନ୍ତି। ହେଲେ ବୌଦ୍ଧ ସହର କିଛି ଅଞ୍ଚଳର ବାସିନ୍ଦାଙ୍କୁ ରାତି ଉଜାଗର କରିଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଲୋକଙ୍କ ଘରେ ପାଣି ପଶିଛି। ସହରର ଅବ୍ୟସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ଆସିବା ପୂର୍ବାରୁ ‌ଡ୍ରେନ୍‌ ପରିଷ୍କାର କରିବା ଓ ଜଳ ନିଷ୍କାସନର ପଥ ପରିଷ୍କାର କରିବାରେ ଏନ୍‌ଏସି କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ଲୋକେ ଜଳବନ୍ଦୀର ଶିକାର ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସେପଟେ ବୌଦ୍ଧ ବ୍ଲକ୍‌ ଓ କଣ୍ଟାମାଳ ବ୍ଲକ୍‌ର କିଛି ଅଞ୍ଚଳରେ ପାଣି ଜମା ହୋଇଥିବା ବେଳେ କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୌଦ୍ଧ ବ୍ଲକ୍‌ ଜହ୍ନାପଙ୍କଠାରୁ ଖମାରୀପଡ଼ାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଜାମୁନାଳ ଉପରେ ଚାରିଫୁଟ ଉପରେ ବନ୍ୟାପାଣି ପ୍ରବାହିତ ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗୁରୁବାର ମଧ୍ୟରାତ୍ରିରୁ ବର୍ଷା ଆରମ୍ଭ ହୋଇଥିଲା। ମୂଷଳଧାରାରେ ବର୍ଷା ଯୋଗୁ ଶୁଖିଲା ପଡ଼ିଥିବା ମାଟି ଓଦା ହୋଇ ପାଣି ଉଛୁଳିବା ଆରମ୍ଭ କରିଥିଲା। ବୌଦ୍ଧ ସହରର ମୁସଲିମ ପଡ଼ା, ଖଦାଳ ସାହି ଓ ଖଲିଆ ବଗିଚା ସାହିର କିଛି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଥିଲା। ଶୋଇଥିବା ସମୟରେ ପାଣି ପଶିବା ବିଷୟ ସାହି ବାସିନ୍ଦା ଟେର ପାଇ ନଥିଲେ। ଜାଣିବା ବେଳକୁ ଘରେ ପାଣି ପଶି ଜିନିଷପତ୍ର ନଷ୍ଟ ହୋଇ ସାରିଥିଲା। ଘରୁ ପାଣି ନିଷ୍କାସନ କରିବା ଉପାୟ ମଧ୍ୟ ନଥିଲା। କାରଣ ଘର ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି ଜମା ହୋଇ ସାରିଥାଏ।

ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରି ଭୋର ପାଞ୍ଚଟାରୁ ମୁସଲିମ ପଡ଼ା ଛକ ନିକଟରେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ରାସ୍ତାରେ ବଡ଼ ବଡ଼ ପଥର ରଖି ରାସ୍ତା ଓଗାଳି ଠିଆ ହୋଇଯାଇଥିଲେ। ଅନେକ ସମୟ ରାସ୍ତା ଅବରୋଧ ରହିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହନ ଅଟକି ରହିଥିଲା। ଖବର ପାଇ ପୁଲିସ ଓ ଏନ୍‌ଏସି କର୍ମଚାରୀ ଆସି ଜଳ ନିଷ୍କାସନର ପ୍ରତିଶ୍ରୁତି ଦେବା ପରେ ଲୋକେ ‌ହଟିଥିଲେ। ସେହିପରି ରେଜିଷ୍ଟ୍ରି ଅଫିସରେ ମଧ୍ୟ ପାଣି ଜମା ହୋଇଥିବା ଦେଖାଯାଇଥିଲା। ଫଳରେ ଅଧିକାରୀ, କର୍ମଚାରୀ ଓ ଜମିଜମା କାମରେ ଆସିଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପମ୍ପ ସାହଯ୍ୟରେ ପାଣି ନିଷ୍କାସନ ହେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ଫାଟକ ସମ୍ମୁଖରେ ପାଣି ଜମା ହୋଇ ରହିଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବୌଦ୍ଧ ଏନ୍‌ଏସି ସହ ବ୍ଲକ ଅଞ୍ଚଳରେ ୧୭୭ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।

ସେହିପରି ହରଭଙ୍ଗା ବ୍ଲକ୍‌ରେ ୩୪ ମିମି ବର୍ଷା ହୋଇଥିବା ବେଳେ କଣ୍ଟାମାଳ ବ୍ଲକ୍‌ରେ ୧୫୯.୨ ମିମି ରେକର୍ଡ କରାଯାଇଛି। ବର୍ଷା ପାଣି ଜମା ହୋଇ କଣ୍ଟାମାଳ ବିଇଓ ଅଫିସ ଜଳାର୍ଣ୍ଣବ ହୋଇ ରହିଛି। ସେହିପରି କଣ୍ଟାମାଳ ଥାନା, ପୁରୁଣା କୋର୍ଟ ପରିସର, ଆର୍‌ଆଇ ଅଫିସରେ ମଧ୍ୟ ପାଣି ଜମା ହୋଇ ରହିଛି। ଅନ୍ୟପକ୍ଷରେ ଡ୍ରେନ୍‌ ସୁବିଧା ନଥିବାରୁ ସତସଙ୍ଗ ଛକ ନିକଟରେ ରାସ୍ତା ଉପରେ ପାଣି ଜମା ହୋଇ ଜଳାଶୟ ଭ୍ରମ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର