ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଗତକାଲି ରହିଥିବା ଲଘୁଚାପ କ୍ଷେତ୍ର ଆଜି ବି ସେହି ଅଞ୍ଚଳରେ ହିଁ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ। ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୬ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ। ଏଥିସହ ଅବଶିଷ୍ଟ ଓଡ଼ିଶାରେ ବର୍ଷା ବି ହୋଇପାରେ। ଓଡ଼ିଶା ଉପକୂଳସ୍ଥ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶରୁ ବାରଣ କରାଯାଇଛି।